ହ୍ୱିସଲବ୍ଲୋୟରଙ୍କୁ ଚୁପ ରହିବାକୁ ଦିଆଯାଇଥିଲା ୭୦ ଲକ୍ଷ ଡଲାର, ମସ୍କ ଓକିଲଙ୍କ ଗୁରୁତର ଅଭିଯୋଗ

ୱାଶିଂଟନ,୯ ।୯: ଏଲନ ମସ୍କ ଓ ଟୁଇଟର ମଧ୍ୟରେ ୪୪ ଅରବ ଡଲାରର ଡିଲ ଭାଙ୍ଗିଯିବା ପରେ ଏବେ ଦୁଇ ପକ୍ଷଙ୍କ ମଧ୍ୟରେ ଆଇନର ଲଢେଇ ଜାରି ରହିଛି । ଇତିମଧ୍ୟରେ ମସ୍କଙ୍କ ଓକିଲ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ ନେଇ ଖୁବ ବଡ ତଥ୍ୟ ପ୍ରକାଶ କରିଛନ୍ତି । ମସ୍କଙ୍କ ଓକିଲ ଦାବି କରିଛନ୍ତି ଟୁଇଟର ଗୋଟିଏ ହ୍ୱିଲସବ୍ଲୋୟରର ମୁହଁ ବନ୍ଦ କରିବାକୁ ୭୦ ଲକ୍ଷ ଡଲାର ଦେଇଛି । ଏହି ହ୍ୱିଲସବ୍ଲୋୟର ଟୁଇଟରର ପରିଚାଳନା ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲା ।
ସୂଚନାଯୋଗ୍ୟ, ୪୪ ଅରବ ଡଲାର ଡିଲ ମାମଲାର ଶୁଣାଣି ସେପ୍ଟେମ୍ବର ୬ରେ କୋର୍ଟରେ ହୋଇଥିଲା । ଏହି ସମୟରେ ମସ୍କଙ୍କ ଓକିଲ ଏଲେକ୍ସ ସ୍ପିରୋ କହିଥିଲେ, ଏକ ହ୍ୱିଲସବ୍ଲୋୟର ପିଟର ଜାଟକୋକୁ ଚୁପ ରହିବାକୁ ୭୦ ଲକ୍ଷ ଡଲାର ଦିଆଯାଇଥିଲା । ସେ କହିଥିଲେ ମାମଲା ସହ ପରିଚିତ ଲୋକେ କହିଥିଲେ କି ଉକ୍ତ ଅର୍ଥ ଜାଟକୋକୁ ଦେବା ପାଇଁ ଥିଲା ।
ଅନ୍ୟପଟେ ମସ୍କଙ୍କ ଓକିଲଙ୍କ ଦାବିକୁ ଟୁଇଟର ଖାରଜ କରି ଦେଇଛି । ଟୁଇଟର କହିଛି କମ୍ପାନୀର ପୂର୍ବତନ ସୁରକ୍ଷା ଅଧିକାରୀ ଜାଟକୋକୁ କୌଣସି ଅର୍ଥ ଦିଆଯାଇନାହିଁ । ସୂଚନାଯୋଗ୍ୟ, ୱାଲ ଷ୍ଟ୍ରିଟ ଜର୍ନାଲ ଗୁରୁବାର ଏହି ଅର୍ଥ କାରବାରକୁ ନେଇ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟ ଅନୁଯାୟୀ, ଜାଟକୋକୁ ଟୁଇଟର ଛାଡିବା ପରେ ଯେଉଁ ଅର୍ଥ ରାଶି ଦିଆଯାଇଥିଲା ଏହା ଏକ ସମାଧାନର ଅଂଶ ଥିଲା । ଏହି ଚୁକ୍ତି ଜାଟୋକୋକୁ ସର୍ବସାଧାରଣରେ କହିବା ପାଇଁ ଅନୁମତି ଦେଲାନାହିଁ ।

Share