Categories: ଜାତୀୟ

ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ

ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍‌ ହଟାଇବା ପାଇଁ ଟୂଇଟର୍‌କୁ କୁହାଯାଇଥିଲା। ଏହାକୁ ନେଇ ଟୁଇଟର ନିଜର ପ୍ରତିକ୍ରିୟା ରଖିଛି। କମ୍ପାନୀ ପକ୍ଷରୁ ଭାରତୀୟ ସୂଚନା ଏବଂ ପ୍ରସାରଣମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସହିତ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଆଗ୍ରହ ପ୍ରକାଶ କରାଯାଇଛି। ଜାନୁୟାରୀ ୩୧ରେ ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଥିବା ୨୫୭ ଆକାଉଣ୍ଟ ଉପରୁ କଟକଣା ଗତ ସପ୍ତାହରେ ଉଠାଇ ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପୁଣି କେତେକ ଆକାଉଣ୍ଟ୍‌ କୁ ହଟାଇବା ଲାଗି ଫେବୃୟାରୀ ୪ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପାଳନ ନେଇ ଟୁଇଟର ନିଜସ୍ବ ମତ ରଖିଛି। କମ୍ପାନୀ କହିଛି ଯେ, ଟୂଇଟର ନିଜ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ। ବାଧାମୁକ୍ତ ବାର୍ତ୍ତା ସମ୍ପ୍ରସାରଣ ଦ୍ୱାରା ସମଗ୍ର ପୃଥବୀ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏଭଳି କାର୍ଯ୍ୟ ଟୁଇଟର ଜାରି ରଖିଛି। ଏହାକୁ ନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଉପଯୁକ୍ତ ଆଲର୍ଟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥାଏ। ସାର୍ବଜନୀକ ଖବର ସମ୍ପ୍ରସାରଣ ଲାଗି କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଟୁଇଟର କହିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ କମ୍ପାନୀର ସିଇଓ ଜ୍ୟାକ୍‌ ଡୋର୍ସେ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିବା କିଛି ବିଦେଶୀଙ୍କ ଟ୍ବିଟ୍‌କୁ ପସନ୍ଦ କରିଥିଲେ। ଏହାପରେ ଭାରତ ସରକାରଙ୍କ ପକ୍ଷରୁ କେତେକ ଟୁଇଟର ଆକାଉଣ୍ଟ ଉପରେ କଟକଣା ଲଗାଇବା ଲାଗି କୁହାଯାଇଥିଲା। ଆମେରିକା ଏବଂ ଜାପାନ ପରେ ଭାରତ ଟୁଇଟରର ତୃତୀୟ ସର୍ବବୃହତ୍‌ ବଜାର ଭାବେ ପରିଚିତି ହାସଲ କରିଛି।

Share