Categories: ଫୁରସତ

ଟୁଇଟର ମାଷ୍ଟର ପ୍ରଦ୍ୟୁମ୍ନ

ସରକାରଙ୍କ ନାନାପ୍ରକାର ଯୋଜନା ସମ୍ପର୍କରେ ସାଧାରଣ ଲୋକ କିପରି ଅବଗତ ହେବା ସହ ଉପକୃତ ହେବେ,ତାକୁ ଟ୍ବିଟ୍‌ କରି ସରକାରଙ୍କୁ ଅବଗତ କରୁଥିବା ପ୍ରଦ୍ୟୁମ୍ନ ଏବେ ଟ୍ବିଟର ମାଷ୍ଟରଭାବେ ବେଶ୍‌ ପରିଚିତ।

ଜନଶୁଣାଣି ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗକୁ ପ୍ରଶାସନିକ ଅଧିକାରୀମାନେ ଗ୍ରହଣକରି ତା’ର ବିଚାର ଓ ସମାଧାନ ଦିଗରେ ପଦକ୍ଷେପ ନେଇଥାନ୍ତି । କିନ୍ତୁ ସବୁ ଲୋକଙ୍କୁ ଏସମ୍ପର୍କରେ ଭଲଭାବରେ ଜଣା ନ ଥାଏ ନିଜ ଅଭିଯୋଗକୁ କେମିତି ଜଣାଇବେ। ଲୋକଙ୍କର ଏପରି ସମସ୍ୟାକୁ ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ଯୁବକ, ଯିଏକି ପେସାରେ ଜଣେ ଇଞ୍ଜିନିୟର। ସେ ଉଭୟ ଗାଁ ଓ ସହରାଞ୍ଚଳର ବିଭିନ୍ନ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମରୁ ସଂଗ୍ରହକରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ ପ୍ରାୟ ୩ ବର୍ଷ ଧରି ସାଧାରଣ ଲୋକଙ୍କ ନାନା ଅଭାବ ଅସୁବିଧା ସମ୍ପର୍କରେ ଟୁଇଟର ଜରିଆରେ ସେ ସରକାରଙ୍କୁ ଅବଗତ କରାଇବା ସହ ତା’ର ସମାଧାନ ପାଇଁ ପ୍ରୟାସ ଜାରିରଖିତ୍ଛନ୍ତି। ସେ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ରାମଲେଙ୍କା ପଞ୍ଚାୟତ ଅଧୀନ ବ୍ରାହ୍ମଣଦେଓ ଗ୍ରାମର ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ। ବୟସ ପ୍ରାୟ ୨୫ବର୍ଷ। ସେ ପେଟ୍ରୋକେମିକାଲ ଇଞ୍ଜିନିୟରିଂ ପଢାସାରି ଏବେ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ବାପା ଗଙ୍ଗାଧର ବିଶ୍ୱାଳ ଜଣେ ବ୍ୟବସାୟୀ। ମା’ପ୍ରଭାସିନୀ ଗୃହିଣୀ । ଯୁବଇଞ୍ଜିନିୟର ୍‌ପ୍ରଦ୍ୟୁମ୍ନ ‘ଟୁଇଟର ମାଷ୍ଟର’ ଭାବେ ଚିଲିକା ଅଞ୍ଚଳରେ ଖୁବ୍‌ ପରିଚିତ। ସେ କୁହନ୍ତି, ‘କରୋନା ସମୟରେ ସ୍ଲଟ୍‌ ବୁକିଙ୍ଗ ଦେଖୁଦେଖୁ ଲୋକଙ୍କ ସମସ୍ୟାକୁ ଟ୍ବିଟ୍‌ ମାଧ୍ୟରେ ଅପଲୋଡ୍‌ କରିବା ଆରମ୍ଭ କରିଥିଲି। ହେଲେ ଗରିବ ଲୋକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ ଜରିଆରେ କିପରି ସାହାଯ୍ୟ କରିବି ଚିନ୍ତା କଲି। ଏଥିପାଇଁ ଏହି କାର୍ଯ୍ୟ ମୋର ନିଶା ପାଲଟିଗଲା। ତେବେ ସରକାରଙ୍କ ନାନାପ୍ରକାର ଯୋଜନା ସମ୍ପର୍କରେ ସମସ୍ତେ କିପରି ଅବଗତ ହୋଇପାରିବେ,ଏଥିନେଇ ଯତ୍ନବାନ ଥାଏ। ୨୦୧୯ରୁ ସାଧାରଣ ଲୋକଙ୍କ ଅଭାବ ଅସୁବିଧାକୁ ସରକାରଙ୍କ ପାଖରେ ଉପସ୍ଥାପନ କରିଆସୁଛି। ଏଥିପାଇଁ ପ୍ରତିଦିନ ସକାଳୁ ଉଠିଲେ କିଛି ନା କିଛି ସାମାଜିକ କାର୍ଯ୍ୟରେ ସାମିଲ ହୋଇଥାଏ। ବିଭିନ୍ନ ଖବରକାଗଜ,ଟିଭି ଓ ସାମାଜିକ ଗଣମାଧ୍ୟମ ଆଦିରୁ ନାନାଘଟଣା ସମ୍ପର୍କରେ ଜାଣିଥାଏ। ଏପରିକି ନିଜେ କେତେକ ତଥ୍ୟକୁ ସଂଗ୍ରହକରି ସରକାରଙ୍କ ବିଭିନ୍ନ ବିଭାଗକୁ ଟୁଇଟ୍‌କରି ଜଣାଇଥାଏ। ଯାହାର ସମାଧାନ ମଧ୍ୟ ହୋଇଛି। ପୁରୀ, ଗଞ୍ଜାମ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର ଆଦି ଜିଲାର କେତେକ ଘଟଣାକୁ ଟୁଇଟ ଜରିଆରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିବାରୁ ସାଧାରଣଲୋକଙ୍କୁ ସରକାରୀ ସହାୟତା ମିଳିପାରିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ସମସ୍ୟାକୁ ଟୁଇଟ୍‌ କରି ତାହାର ସମାଧାନ କରିବାରେ ସଫଳ ହୋଇଛି। ଏପରିକି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ, ବାଲେଶ୍ୱର ରେଳଷ୍ଟେଶନ ରାସ୍ତାରେ ରହୁଥିବା ଅସହାୟମାନଙ୍କ ଥଇଥାନ ବ୍ୟବସ୍ଥା, ନୟାଗଡ଼ ଜିଲା ଦଶପଲ୍ଲାର ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ, ଗଞ୍ଜାମ ଜିଲା ରମ୍ଭା ଏନଏସିର ସାର୍ବଜନୀନ ଶୌଚାଳୟ କାର୍ଯ୍ୟକ୍ଷମ କରିବା, କୃଷ୍ଣପ୍ରସାଦ ବ୍ଲକର ଉଠାଣିକୁଦାଠାରୁ ମୋରଡା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ରିଜ ମରାମତି ଓ ଗ୍ରାମୀଣ କ୍ରୀଡାଙ୍ଗନରୁ ବିଦ୍ୟୁତ୍‌ ଖୁଣ୍ଟ ହଟାଇବା, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଳକର ସାନପଦର ଗ୍ରାମର ଜିତେନ୍ଦ୍ର କୁମାର ପଟ୍ଟନାୟକ ଦୀର୍ଘଦିନ ଧରି କିଡ଼୍‌ନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନ ଥିଲେ। ତାଙ୍କ ବିଷୟରେ ଟୁଇଟ୍‌ କରିବାପରେ ଖୋର୍ଦ୍ଧା ଜିଲାପାଳ ଘଟଣାର ତଦନ୍ତ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକୃତରେ ଏସବୁ କାମ ମତେ ବେଶ୍‌ ମାନସିକ ଶାନ୍ତି ଦେଉଛି।’

-କୈଳାସ ପଟ୍ଟନାୟକ, ଦୁର୍ଗାପ୍ରସାଦ

Share