ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରି ବିଜୟ ସ୍ବାଦ ଚାଖିଛି ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ମ୍ୟାଚ୍ ପରେ ଏକତ୍ରିତ ହୋଇଥିଲେ ଦୁଇ ମହାନ ଖେଳାଳି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଏଲ୍ଏସ୍ଜି ମେଣ୍ଟର ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଦୁହେଁ କିଛି ଆଲୋଚନା କରିଥିଲେ। ଏହାର ଏକ ଫଟୋ ଟୁଇଟ୍ କରି ଗମ୍ଭୀର କ୍ୟାପଶନରେ ଲେଖିଥିଲେ, ‘କ୍ୟାପଟେନଙ୍କୁ ଭେଟି ଭଲ ଲାଗିଲା’। ଗମ୍ଭୀରଙ୍କ ଏଭଳି କ୍ୟାପଶନ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦୁଇ କିମ୍ବଦନ୍ତୀଙ୍କ ଆଲୋଚନା ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଛାୟୀ ଯାଇଛି। ଏହା ଉପରେ ଏବେ କିଛି ମଜାଦାର ମିମ୍ସ ମଧ୍ୟ ଭାଇରାଲ ହେଉଛି।
ଏକ ମିମ୍ସରେ ଉଲ୍ଲେଖ ରହିଛି, ହେଟର୍ସ ଏହାକୁ ଫଟୋଶପ୍ ଇଫେକ୍ଟ କହିବେ। ଅନ୍ୟ ଏକ ମିମ୍ସରେ, “ପ୍ରଥମ ଥର ପାଇଁ ଗମ୍ଭୀର ଏବଂ ଧୋନୀଙ୍କୁ ଆଲୋଚନା କରୁଥିବା ଦେଖୁଛୁ। ଚମତ୍କାର ଘଟେ”। ଉଲ୍ଲେଖଯୋଗ୍ୟ, ଧୋନୀଙ୍କ ନେତୃତ୍ୱରେ ଗମ୍ଭୀର ତାଙ୍କ କ୍ୟାରିୟରର ପ୍ରାୟତଃ ମ୍ୟାଚ୍ ଖେଳିଥିଲେ। ଭାରତ ହାସଲ କରିଥିବା ୨୦୧୧ ବିଶ୍ୱକପ୍ ଏବଂ ୨୦୦୭ ଟି୨୦ ବିଶ୍ୱକପ୍ରେ ଗମ୍ଭୀର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।