ସରକାରୀ ଟୁଇଟର ଆକାଉଣ୍ଟରେ ଦେଖାଗଲାଣି ଗ୍ରେ ଟିକ, ମୋଦିଙ୍କ ସମେତ ବିଶ୍ୱର ବଡ ବଡ ନେତାଙ୍କ ବଦଳିଲା ମାର୍କ

ଲସ ଆଞ୍ଜେଲସ,୨୦ ।୧୨: ଟୁଇଟରର ନୂଆ ଭେରିଫିକେଶନ ପ୍ରଣାଳୀର ରଙ୍ଗ ଏବେ ସାଇଟରେ ନଜର ଆସିଲାଣି । ସରକାରୀ ଅଧିକାରୀ ଓ ସଙ୍ଗଠନ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ସେମାନଙ୍କ ନାଁ ସହ ଗ୍ରେ କଲର ଟିକ୍ ସହିତ ଦୃଶ୍ୟ ହେଉଛନ୍ତି । ପୂର୍ବରୁ ବି କିଛି ପ୍ରୋଫାଇଲରେ ଏଭଳି ପରିବର୍ତ୍ତନ ଦେଖାଦେଇ ସାରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ବିଶ୍ୱର ଅନେକେ ରାଜନେତାଙ୍କ ଟୁଇଟର ପ୍ରୋଫାଇଲରେ ଗ୍ରେ ଟିକ ନଜର ଆସିଛି । ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇ ନାହିଁ, କେତେକ ରାଜନେତାଙ୍କ ପ୍ରୋଫାଇଲ ଏବେବି ପୁରୁଣା ନୀଳ ରଙ୍ଗର ଟିକ ସହ ନଜର ଆସିଛି ।
ଏହାପୂର୍ବରୁ ଟୁଇଟର ସିଇଓ ଏଲନ ମସ୍କ ତାଙ୍କର ନୂତନ ଯାଞ୍ଚ ବ୍ୟବସ୍ଥା ଘୋଷଣା କରିବାକୁ ମାଇକ୍ରୋବ୍ଲଗିଂ ସାଇଟର ସାହାରା ନେଇଥିଲେ । ସେ ଟୁଇଟ କରିଥିଲେ ଯେ ବିଳମ୍ବ ପାଇଁ ଦୁଃଖିତ, ଆସନ୍ତା ସପ୍ତାହରେ ଶୁକ୍ରବାର ଯାଞ୍ଚ ବ୍ୟବସ୍ଥା ଆରମ୍ଭ କରୁଛୁ । କମ୍ପାନୀ ଗୁଡିକ ପାଇଁ ଗୋଲଡେନ ଟିକ, ସରକାରଙ୍କ ପାଇଁ ଗ୍ରେ ଟିକ, ସାଧାରଣ ଜନତାଙ୍କ ପାଇଁ ବ୍ଲୁ ଟିକ ଓ ସମସ୍ତ ଯାଞ୍ଚ ହୋଇଥିବା ଆକାଉଣ୍ଟ ଗୁଡିକ ମାନୁଆଲ ପ୍ରମାଣିକରଣ ହେବ । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଉପଯୋଗ ସମ୍ପର୍କରେ ସେ ଟୁଇଟ କରିଥିଲେ । ହେଲେ ନିକଟରେ ସେ ଏହାର ସବିଶେଷ ତଥ୍ୟ ଦେଇଥିଲେ । ସମସ୍ତ ଯାଞ୍ଚ ହୋଇଥିବା ବ୍ୟକ୍ତିଗତ ୟୁଜର୍ସଙ୍କ ନିକଟରେ କେବଳ ବ୍ଲୁ ଟିକ ରହିବ ।

Share