Categories: ଜାତୀୟ

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି ଦେଇଥିଲେ। ପରିବାର ସହ ଘର ଛାଡ଼ି ଚାଲିଯାଅ ନହେଲେ ପରିମାଣ ଭୟାବହ ହେବ ବୋଲି ଧମକ ଦେଇଥିଲେ ଟିଏମ୍‌ସି କର୍ମୀ। ୫ ତାରିଖ ରାତିରେ ୫ ଜଣ ଟିଏମ୍‌ସି କର୍ମୀ ମୋ ଘର ଭିତରେ ପଶି ମୋ ନାତୁଣୀ ଆଗରେ ଗଣବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଜଣିବା ପରେ ମଧ୍ୟ ସ୍ଥାନୀୟ ପୋଲିସ ଚୁପ ବସିଥିଲା।

ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଘଟଣାର ୮ ଦିନ ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବଳାତ୍କାର ହୋଇଥିବା ସ୍ପଷ୍ଟ କରିଥିଲେ। ରାଜ୍ୟ ପୋଲିସ ପକ୍ଷରୁ ଘଟଣା ତଦନ୍ତ କରାଯାଇଥିଲା। କିନ୍ତୁ ତାହା ସନ୍ତୋଷଜନକ ନୁହେଁ। ଏଣୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛନ୍ତି ୬୦ ବର୍ଷୀୟା ପୀଡ଼ିତା। ପୀଡ଼ିତାଙ୍କ ଲାଗି ସୁପ୍ରିମକୋର୍ଟରେ ଜନ ସ୍ବାର୍ଥ ମାମଲା ଦାୟର କରିଛନ୍ତି ବିଶ୍ୱଜିତ ସରକାର। ବିଶ୍ୱଜିତ ଭାଜପା କର୍ମୀ ଅଭିଜିତ ସରକାରଙ୍କ ଭାଇ, ଯାହାଙ୍କୁ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମ୍‌ସି କର୍ମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତେବେ ଏସ୍‌ପି ଅମରନାଥ କେ. କହିଛନ୍ତି, ୬୦ ବର୍ଷୀୟା ପୀଡ଼ିତାଙ୍କ ସହ ବଳାତ୍କାର ହୋଇଥିଲା। ଗଣବଳାତ୍କାର ନୁହେଁ। ଅଭିଯୋଗ ଆସିବା ଦିନ ସମ୍ପୃକ୍ତ ଅଭିଯକ୍ତ ମହମ୍ମଦ ଉସମାନ(୩୫)ଙ୍କୁ ଗିରଫ କରାଯାଇଛି। ସେ ଏବେ ମଧ୍ୟ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଆଉ ମେ’ ୯ ତାରିଖରେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଦାଖଲ ହେବା ପରେ ୩ ଜଣଙ୍କୁ ଗିରଫ କରାଯାଇଛି।

Share