ଭବାନୀପାଟଣା।ଲାଞ୍ଜିଗଡ, ୪।୩( ଉତ୍ତମ କୁମାର ଦାସ / ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟସଭା ଏମ୍ପି ସୁଜିତ କୁମାରଙ୍କ ପ୍ରଦତ୍ତ ପାଣ୍ଠିରୁ ୨ଟି ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍ପି କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ଲୋକାର୍ପିତ ଦୁଇଗୋଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଓ ଅନ୍ୟଟି କେସିଙ୍ଗା ବ୍ଲକର ଜନସାଧାରଣଙ୍କୁ ସେବା ଯୋଗାଇବ। ଏହି କାର୍ଯ୍ୟକ୍ରମରେ ଏମ୍ପିଙ୍କ ସହିତ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଏମ୍ପି ୨ଟି ଆମ୍ବୁଲାନ୍ସ ପାଇଁ ନିଜ ପାଣ୍ଠିରୁ ୧୮ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ବିଭିନ୍ନ ଆଳ ଦେଖାଇ ସ୍ବାସ୍ଥ୍ୟ ବିଭାଗ ଦୀର୍ଘ ୨ ବର୍ଷ ଯାଏ ଅର୍ଥରାଶିକୁ ପକାଇ ରଖିଥିଲା। ଏହି ସମୟ ମଧ୍ୟରେ ଗତ ନଭେମ୍ବର ମାସରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁମଖାଲ ପଞ୍ଚାୟତ ପୁନିଗୁଡ଼ାର ଜଣେ ନାବାଳିକା ଚିକିତ୍ସାଧୀନ ଭାବେ ମୃତ୍ୟୁବରଣ କରିବା ଓ ଆମ୍ବୁଲାନ୍ସ ଅଭାବରୁ ବାଇକରେ ମୃତଦେହ ବୁହାହେବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ପକ୍ଷରୁ ଖର୍ଚ୍ଚ ନହୋଇ ପଡ଼ି ରହିଥିବା ସାଂସଦ ପାଣ୍ଠି ବିନିଯୋଗ କରି ଆମ୍ବୁଲାନ୍ସ କିଣା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏନେଇ ତାଙ୍କ ନେତୃତ୍ୱରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସାମ୍ବାଦିକ ସମୁହ ପକ୍ଷରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସରଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲା। ଏହାପରେ ଜିଲା ସ୍ବାସ୍ଥ୍ୟ ବିଭାଗର ଚେତା ପଶିବା ସହିତ ଏ ଦିଗରେ ତତ୍ପରତା ପ୍ରକାଶ ପାଇଥିଲା। ସାମ୍ବାଦିକ ସମୁହ ଏବଂ ଏମ୍ପି ପ୍ରତିନିଧିଙ୍କ ଉପସ୍ଥିତିରେ ଗତ ନଭେମ୍ବର ୧୯ ତାରିଖରେ ସ୍ବାସ୍ଥ୍ୟ ବିଭାଗ ଏକ ବୈଠକ ଡକାଇ ଏହାର ସମାଧାନ ପାଇଁ ଆଲୋଚନା କରିଥିଲା। ଉକ୍ତ ବୈଠକର ନିଷ୍ପତ୍ତି ପରେ ଆମ୍ବୁଲାନ୍ସ କିଣାଯିବା ପରେ ଆଜି ଲୋକାର୍ପିତ କରାଯାଇଛି। ଏହାକୁ ନେଇ ଉଭୟ ଲାଞ୍ଜିଗଡ ଓ କେସିଙ୍ଗା ଅଞ୍ଚଳର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୂହର ଉଦ୍ୟମକୁ ପ୍ରଶଂସା କରିଛନ୍ତି।