Categories: ଜାତୀୟ

ଦୁଇ ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

ଭୋପାଳ,୧୨ା୯: ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର କରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀମାନେ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିବାବେଳେ ଜଣକ ନାଁରେ ଅପରାଧ ରେକର୍ଡ ରହିଛି।

ସୂଚନା ଅନୁଯାୟୀ, ୨ ସେନା ଅଫିସର ଇନ୍ଦୋର ନିକଟ ମହୁ ସେନା କଲେଜରେ ଟ୍ରେନିଂ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ସେମାନଙ୍କର ଦୁଇଜଣ ବାନ୍ଧବୀଙ୍କ ସହ ଛୋଟି ଜାମ୍‌ସ୍ଥିତ ଫାୟାରିଂ ରେଞ୍ଜ ନିକଟରେ ଥିବା ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଇଥିଲେ। ହଠାତ୍‌ ୮ ଜଣ ସଶସ୍ତ୍ର ଯୁବକ ସେମାନଙ୍କୁ ଘେରିଯାଇଥିଲେ। ସେମାନଙ୍କ ହାତରେ ପିସ୍ତଲ, ଛୁରି ଓ ଲାଠି ଥିଲା। ସେମାନେ ଟ୍ରେନି ଅଫିସର ଓ ୨ ମହିଳାଙ୍କୁ ମାଡ଼ ମାରିବା ପରେ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ। ଏହା ପରେ ସେମାନେ ଜଣେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପଣବନ୍ଦୀ ରଖିଥିଲେ। ସେମାନଙ୍କୁ ମୁକୁଳାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଆଣିବା ପାଇଁ ସେମାନେ ଅନ୍ୟ ୨ ଜଣଙ୍କୁ ପଠାଇ ଦେଇଥିଲେ। ସେମାନେ ସେନା ୟୁନିଟ୍‌ରେ ପହଞ୍ଚି କମାଣ୍ଡିଂ ଅଫିସରଙ୍କୁ ସବୁ କଥା ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଓ ସେନା ଯବାନମାନେ ଘଟଣାସ୍ଥଳକୁ ଯିବାବେଳେ ସେମାନଙ୍କ ଗାଡ଼ି ଦେଖି ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ।

ଆହତ ୨ ସେନା ଅଧିକାରୀ ଓ ୨ ମହିଳାଙ୍କୁ ମହୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ମାଇନାରୁ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଜଣାପଡ଼ିଛି। ପୋଲିସ ଆକ୍ରମଣକାରୀମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ୨ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।

Share