ଠାକୁରମୁଣ୍ଡା,୨୦।୩(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ତାଳପଦା ଗ୍ରାମପଞ୍ଚାୟତ କାଳିଆଜିଆଣି ସଂରକ୍ଷିତ ୧ ନଂ. ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ଶୁକ୍ରବାର ରାତିରେ ଠାକୁରମୁଣ୍ଡା ବନ କର୍ମଚାରୀମାନଙ୍କ ଦ୍ୱାରା ୨ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ତାଳପଦା ଗ୍ରାମର ଭୁଟେଶ୍ୱର ନାଏକ ଓ ଫାତୁ ଦଣ୍ଡପାଟ ବୋଲି ଜଣାପଡ଼ିଛି। ଉଭୟଙ୍କୁ ଗିରଫ ପରେ ଆଜି( ଶନିବାର) କେସ୍ ନମ୍ବର ୨୭୨ ଅନୁଯାୟୀ ବନ ବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଛି। ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଫରେଷ୍ଟର ନଳିନୀକାନ୍ତ ମହାନ୍ତ, ବନରକ୍ଷୀ କିଶୋର ପାତ୍ର, ସଚ୍ଚିଦାନନ୍ଦ ବେହେରା ସମେତ ବନକର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁଇଜଣଙ୍କୁ କାଳିଆଜିଆଣି ଜଙ୍ଗଲ ଭିତରୁ ଧରିଥିଲେ। ବନ ବିଭାଗ ଦ୍ୱାରା ଧରା ପଡ଼ିଥିବା ଏହି ଦୁଇଜଣ ସେଠାରେ ହୋଇଥିବା ନିଶା ପୂଜା କାମରେ ଆସି ଜଙ୍ଗଲ ଭିତରେ ରୋଷେଇ କରୁଥିଲେ। ରୋଷେଇ ସମୟରେ ସେମାନେ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଜଙ୍ଗଲରେ ଲାଗିଥିବା ଏହି ନିଆଁକୁ ବନକର୍ମଚାରୀମାନେ ଲିଭାଇଥିଲେ।