ଆନ୍ତଃରାଜ୍ୟ ଚୋର ସମେତ ୨ ଗିରଫ

କଟକ ଅଫିସ, ୮ା୨: ବାଦାମବାଡ଼ି ଥାନା ପୋଲିସ ସୋମବାର ଜଣେ ପେସାଦାର ଆନ୍ତଃରାଜ୍ୟ ସୁନାଗହଣା ଚୋରଙ୍କ ସମେତ ଚୋରି ସୁନା କିଣିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳର ହେମନ୍ତ କୁମାର ଦାସ(୫୯) ଏବଂ କଟକ ବାରଙ୍ଗ ଥାନା ଅଞ୍ଚଳର ବୈଦ୍ୟନାଥ ସାହୁ(୩୭)। ହେମନ୍ତ ଜଣେ ପେସାଦାର ଆନ୍ତଃରାଜ୍ୟ ଚୋର ଓ ତାଙ୍କ ନାମରେ ଶହେରୁ ଊର୍ଦ୍ଧ୍ୱ ମାମଲା ରହିଛି ବୋଲି କଟକ ଏସିପି ଅମରେନ୍ଦ୍ର ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨୯ତାରିଖରେ ବାଦାମବାଡ଼ି ଥାନା ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସ ଥାନାରେ ଅଭିଯୋଗ କରିଥିଲେ ଯେ, କୌଣସି ଦୁର୍ବୃତ୍ତ ତାଙ୍କ ଘର ଓ କାର୍ଯ୍ୟାଳୟର ତାଲା ଭାଙ୍ଗି ସୁନା ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଚୋରିକରି ନେଇଛନ୍ତି। ପୋଲିସ ଏ ନେଇ ଏକ କେସ୍‌ (ନଂ.୩୧/୨୧) ରୁଜୁ ସହ ତଦନ୍ତ ଜାରି ରଖିଥିଲା। ସୋମବାର ଭୁବନେଶ୍ୱରରୁ ହେମନ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୬୦ ଗ୍ରାମ୍‌ ସୁନା ଓ ଚାନ୍ଦି ଅଳଙ୍କାର ସମେତ ଏକ ଆଇଫୋନ୍‌, ନଗଦ ୨୨ହଜାର ଟଙ୍କା ଜବତ ହୋଇଛି। ସେହିପରି ଚୋରି ସୁନା କିଣିଥିବା ବୈଦ୍ୟନାଥଙ୍କୁ ବାରଙ୍ଗ ଅଞ୍ଚଳର ତାଙ୍କ ଘରୁ ଗିରଫ କରାଯାଇଛି। ହେମନ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୧୦ଟି ଓ ବୈଦ୍ୟନାଥଙ୍କ ନାମରେ ୯ଟି ମାମଲା ରହିଛି। ହେମନ୍ତ ୧୯୮୬ରୁ ଏହି ବୃତ୍ତିକୁ ଆପଣାଇଥିବାବେଳେ ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ଚୋରି କରିଛନ୍ତି। ଚୋରି ଘଟଣାରେ ତାଙ୍କ ସହ ଆଉ କେଉଁମାନେ ସମ୍ପୃକ୍ତ ଏବଂ କେଉଁଠାରୁ କେତେ କ’ଣ ଚୋରି କରିଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସିପି ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ବାଧ୍ୟବାଧକତାରେ ଚୋରି ବୃତ୍ତିକୁ ଆପଣାଇଥିବା ହେମନ୍ତ କହିଛନ୍ତି। ପୂର୍ବରୁ ସେ ଚୋରି ମାମଲାରେ କମିଶନରେଟ୍‌ ପୋଲିସ ହାତରେ ଧରାପଡ଼ିଥିଲେ। ଏପରି କି ସେ ଆଉ ଚୋରି କରିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖିଦେବା ସହ ଅନ୍ୟମାନଙ୍କୁ ଏହା ନ କରିବାକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ୱେ ସେ ପୁଣି ବାରମ୍ବାର ଚୋରି କରିଥିଲେ।

Share