ଭୁବନେଶ୍ୱର,୨୨।୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ କଳ୍ପନା ଛକ ନିକଟରେ ଥିବା ପେଣ୍ଟାଗନ୍ ବାର ଆଣ୍ଡ ହୋଟେଲ ଓ ନିଶା ବାର୍କୁ ରବିବାର ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। ସପ୍ତାହନ୍ତ ସଟ୍ଡାଉନ୍ରେ ପେଣ୍ଟାଗନ୍ ବାର୍ରେ ଜୁଆ ଆଡ୍ଡା ଚାଲିଥିବାରୁ ଏହାକୁ ସିଲ୍ କରାଯାଇଛି। ଚଢାଉ ବେଳେ ଏକାଧିକ ଲୋକଙ୍କୁ ଶନିବାର ରାତିରେ କମିଶନ୍ରେଟ୍ ପୋଲିସ ପକ୍ଷରୁ ଗିରଫ କରାଯାଇଥିଲା। ସେହିପରି ଶଟ୍ଡାଉନ୍ରେ ନିଶା ବାର୍ରେ ମଦ କାରବାର ଚାଲୁଥିବା ଅଭିଯୋଗରେ ଏହାକୁ ସିଲ୍ କରାଯାଇଛି। ଚଢାଉବେଳେ ବିଏମ୍ସିର ଆସିଷ୍ଟାଣ୍ଟ କମିଶନର (ଏନ୍ଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁ, ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ଲକ୍ଷ୍ମୀସାଗର ଆଇଆଇସି ଓମ୍ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।