ହାଇଓ୍ବା ତଳେ ଚାପିହୋଇ ଦୁଇ ବାଇକ୍‌ ଆରୋହୀ ମୃତ

ଚାନ୍ଦବାଲି,୧୯।୫(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ହାଇଓ୍ବା ତଳେ ଚାପିହୋଇ ୨ଜଣ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l

ମିଳିଥିବା ସୂଚନା କୁତାବକ, ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ତାଡୁ ସାହିର ରମେଶ ତାଡୁଙ୍କ ପୁଅ ତପୁ(୩୫) ଏବଂ ସାଏନ୍ତା ଗ୍ରାମର ମୁନା ସାହୁ ଏକ ବାଇକ୍‌ରେ ଆସୁଥିଲେ। ସେତିକିବେଳେ ବିପରୀତ ଦିଗରୁ ଉତୁକୁଡା ପଞ୍ଚାୟତ ମୃଗନୟନୀ ଗ୍ରାମର ଜଗନ୍ନାଥ ପରିଡ଼ାଙ୍କ ପୁଅ ଶୁଭମ୍‌(୨୪) ଅନ୍ୟ ଏକ ବାଇକ୍‌ରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଚାଳକ ତପୁ ଏବଂ ଶୁଭମ୍‌ ରାସ୍ତା ଉପରେ ଛିଟିକି ପଡିଥିଲେ। ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ବାଲି ବୋଝେଇ ହାଇଓ୍ବା ସେମାନଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ରାସ୍ତା ବାହାରକୁ ଛିଟିକି ପଡ଼ିବାରୁ ମୁନା ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଚାଳକ ଗାଡ଼ି ସହ ମତୋ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଖବର ପାଇ ବିଳମ୍ବରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।