ଦୁଇ ବାଇକ ମୁହାଁମୁହିଁ ଧକ୍କା, ଘଟଣା ସ୍ଥଳରେ ୨ ମୃତ

ବେହେରା,୧୭/୧୨ (ଭୂପେଶ ତିୱାରୀ/କୋକସରା, (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବେହେରା ଖପରାମାଲ ରାସ୍ତାରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗଭୀର ଆହତ ହୋଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ ଓଡ଼ି-୦୮ ଏଫ-୬୧୯୧ ନମ୍ବରର ଏଚ୍ ଏଫ୍ ଡିଲକ୍ସ ବାଇକରେ ଜୀତେନ୍ଦ୍ର ଦୁର୍ଗା ଓ ଜିତୁ ସାଗର ବସି ବେହେରା ହାଟରୁ ଫେରୁଥିବା ବେଳେ ଓଆର-୦୮ ଇ ୭୧୯୬ ନମ୍ବରର ଏକ ପେସନ ପ୍ରୋ ବାଇକରେ ପବିତ୍ର ବାଗ ଓ ଗୁପ୍ତେଶ୍ୱର ବାଗ ବେହେରା ହାଟକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡିର ଚାଳକ ଜୀତେନ୍ଦ୍ର ଦୁର୍ଗା ଓ ପବିତ୍ର ବାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତ ହୋଇଥିଲେ ।

ତୁରନ୍ତ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଡହଗାଁର ପବିତ୍ର ବାଗ (୩୫) ଓ ମୁଷାପାଲିର ଜୀତେନ୍ଦ୍ର ଦୁର୍ଗାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମୁଷାପାଲିର ଜୀତେନ୍ଦ୍ର ସାଗର (୨୩) ଓ ନୂଆଗୁଡା ଗାଁର ଗୁପ୍ତେଶ୍ୱର ବାଗ (୩୫) ଗୁରୁତର ଥିବାରୁ ପ୍ରଥମେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଖବର ପାଇ କୋକସରା ପୋଲିସ ଥାନା ଏସ ଆଇ ହେମନ୍ତ କୁମାର ପାତ୍ର, ଦିବ୍ୟ ମାଝୀ, ଉଦିତ ଗହୀର, ପୂର୍ଣ୍ଣ ସୌରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଯାଇଥିବା ସୂଚନା ଦେଇଥିଲେ ।

Share