କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର ଦିନ କୃଷ୍ଣକାୟ ଯୁବକ ଜାକୋବ ବ୍ଲେକଙ୍କ ଉପରକୁ ଓ୍ବିସ୍କନ୍ସିନରେ ଗୁଳିମାଡ଼ କରିଥିଲା। ସେ ଏବେ ଗୁରୁତର ଅଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ବିକ୍ଷୋଭ କରାଯାଉଥିବାବେଳେ ପୋଲିସ ପୁଣି ଗୁଳି ଚଳାଇଛି। ମଙ୍ଗଳବାର ରାତି ୧୧.୪୫ରେ ପୋଲିସ ୩ ଜଣଙ୍କ ଉପରେ ଗୁଳିମାଡ଼ କରିଥିବା କେନୋଶା ପୋଲିସ ଅଧିକାରୀ ଜୋଶେଫ ନୋସାଲିକ୍ କହିଛନ୍ତି। ଆମେରିକାରେ ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଭିନ୍ନ ସମୟରେ ଝଡ଼ ସୃଷ୍ଟି ହୋଇଥିବାବେଳେ ମିନିଆପଲିସ ପୋଲିସ ଗୁଳିରେ ଜର୍ଜ ଫ୍ଲୋଏଡ୍ଙ୍କୁ ହତ୍ୟା କରାଯିବା ପରିସ୍ଥିତିକୁ ଉଷ୍ମ କରିଥିଲା। ଏହାର ୩ ମାସ ପରେ ପୁଣି କୃଷ୍ଣକାୟଙ୍କୁ ଟାର୍ଗେଟ କରାଯାଇ ଗୁଳିମାଡ଼ କରାଯିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ବର୍ଣ୍ଣବୈଷମ୍ୟବାଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ ବୋଲି କୁହାଯାଉଛି।