ଚିତ୍ରଡ଼ା,୨୦ା୮(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜମ୍ଭୀରା ନଦୀରେ ଭାସିଯାଇଥିବା ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ଗଣ୍ଡଗୁହାଳି ଗ୍ରାମର ବୁଦ୍ଧେଶ୍ୱର ମାଝି ଓ ବିରାମ ମାରାଣ୍ଡି। ଜଣଙ୍କର ମୃତଦେହ ଶୀଳଦା ଓ ଅନ୍ୟ ଜଣଙ୍କର ପାଞ୍ଚଗୋଛିଆ ଘାଟ ନିକଟରୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।
ବୁଧବାର ଅନ୍ୟ ୫ ଜଣ ଯୁବକଙ୍କ ସହ ବୁଦ୍ଧେଶ୍ୱର ଓ ବିରାମ ନଦୀ ପାର ହୋଇ ଫୁଟବଲ୍ ଖେଳ ଦେଖିବାକୁ ବାଘାଝରଣ ଯାଉଥିତ୍ବା ବେଳେ ଭାସି ଯାଇଥିଲେ। ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲକୁ ପଠାଇଛି। କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ବନା ଦେଇଥିଲେ।