ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ନାଗଣ ଗ୍ରାମର ସଦାଶିବ ପ୍ରଧାନଙ୍କ ବଡ଼ପୁଅ ସତ୍ୟଜିତ (୭) ଓ ଶୁଭ୍ରଜିତ (୩)।

ଘଟଣା ଅନୁଯାୟୀ, ସଦାଶିବ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଗ୍ରାମର ନଦୀବନ୍ଧ ନିକଟରେ ପରିବାର ସହ ରୁହନ୍ତି। ସବୁଦିନ ଭଳି ଶୁକ୍ରବାର ମଧ୍ୟ ସଦାଶିବ ଅଟୋ ନେଇ ବାହାରକୁ ଯାଇଥିବା ବେଳେ ଘରେ ମା’ଙ୍କ ସହ ୨ ଭାଇ ଥିଲେ। ପୂର୍ବାହ୍ନ ୧୧ଟାରେ ମା’ ଘରେ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ସତ୍ୟଜିତ ଓ ଶୁଭ୍ରଜିତ ଘର ସମ୍ମୁଖ ଦାଣ୍ଡଦୁଆରେ ଖେଳୁଥିଲେ। କିଛି ସମୟ ପରେ ମା କାମ ସାରି ପିଲାମାନଙ୍କ ନିକଟକୁ ଆସିବାବେଳେ ସେମାନେ ବାହାରେ ନ ଥିଲେ। ଆଖପାଖ ପଡ଼ିଶା ଘରଲୋକଙ୍କୁ ପଚରାଉଚୁରା ପରେ କୌଣସି ଖବର ପାଇ ନ ଥିଲେ। ପରେ ସ୍ଥାନୀୟ ଲୋକେ ନିକଟସ୍ଥ ଲୁଣାନଦୀ ମଧ୍ୟରେ ଥିବା ତାରିଣୀ ପୋଖରୀରେ ୨ଶିଶୁ ଭାସୁଥିବାର ଦେଖିଥିଲେ। ଗାଁର କେତେଜଣ ଯୁବକ ନଦୀରେ ପଶି ଶିଶୁଦ୍ୱୟଙ୍କୁ ଉଦ୍ଧାର କରି କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ।

Share