Categories: ରାଜ୍ୟ

ସାଙ୍ଗ ହୋଇ ୨ଭାଇ ଯାଇଥିଲେ ଖେଳିବାକୁ, ଏକାଠି ନେଲେ ସମାଧି

କେନ୍ଦୁଝର, ୫ା୩(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଅର୍ଶଳା ଗ୍ରାମର ଦୁଇ ଭାଇ ଶୁକ୍ରବାର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଖେଳୁଥିବା ବେଳେ ଅସାବଧାନତା ଯୋଗୁ ଉଭୟ ବୁଡ଼ି ଯାଇଥିତ୍ବା ସୂଚନା ମିଳିଛି। ମୃତକ ଦ୍ୱୟ ହେଲେ ଏମ୍‌.ଡି ଆନସାରୀଙ୍କ ପୁଅ ଆରକମ ଆନସାରୀ(୧୩) ଏବଂ ଆରହନ ଆନସାରୀ(୧୧)। ଅପରାହ୍ନରେ ଦୁଇଭାଇ ଘରୁ ସାଇକେଲ ନେଇ ଖେଳିବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ହେଲା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେମାନେ ନେଇଥିବା ସାଇକେଲ ପୋଖରୀ ହୁଡ଼ାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ପୋଖରୀ ମଧ୍ୟରୁ ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକେ ଝୁମ୍ପୁରା ଡାକ୍ତରଖାନକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଝୁମ୍ପୁରା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Share