ଭାଟିରୁ ମଦ ଆଣି କୋଠିରେ ବିକୁଥିଲେ ଦୁଇ ଭାଇ, ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋକସରା,୧୮ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ ବର୍ଷ ହେବ ଗାଁରେ ବେଆଇନ ଭାବେ ଦେଶୀ ବିଦେଶୀ ମଦଭାଟି ଖୋଲି ଗାଁର ପରିବେଶକୁ ନଷ୍ଟ କରିବା ସହ ଗାଁର ଯୁବକ, ଖଟିଖିଆ ଓ ଗରିବ ଶ୍ରେଣୀର ଲୋକଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସହ ଗାଁରେ ଅଶାନ୍ତି ପରିବେଶ ସୃଷ୍ଟି କରି ଆସୁଥିଲେ। ମଦ କୋଠିକୁ ଲାଗି ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ଅନେକ ସମୟରେ ମହିଳାମାନେ ଏହି କେନ୍ଦ୍ରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବେଳେ ମଦୁଆଙ୍କ ଟାହିଟାପରାରେ ଅତିଷ୍ଠ ହୋଇ ପଡୁଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏହାକୁ ବିଭିନ୍ନ ସମୟରେ ଗ୍ରାମର ମା’ ବସ୍ତରେନ ମାଉଳି, ତୁଳସୀ ଦେବୀ, କାଳେଶ୍ୱର ବାବା, ସପୁରା ମାତା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଂଘ ବିରୋଧ କରିବା ସହ ଅନେକ ସମୟରେ ମଦକୋଠି ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେବା ସତ୍ତ୍ୱେ ମଧ୍ୟ ଦୁଇ ଭାଇ ମଦ କୋଠି ବନ୍ଦ ନ କରିବାରୁ ଗ୍ରାମର ମହିଳା ସଂଘ ଓ ସଚେତନ ନାଗରିକମାନେ ମଦ କୋଠିରେ ପହଞ୍ଚି ଦେଶୀ ବିଦେଶୀ ମଦକୁ ନଷ୍ଟ କରିଥିଲେ। ବୁଧବାର ଗମ୍ଭାରୀଗୁଡ଼ା ସମିତିସଭ୍ୟା ପ୍ରମିଳା ଭୋଇଙ୍କ ନେତୃତ୍ୱରେ ଗ୍ରାମର ୪ ମହିଳା ସଂଘର ଶତାଧିକ ମହିଳା ଓ ଯୁବକ ଗୋଷ୍ଠୀ କୋକସରା ଥାନାକୁ ଆସି ମଦ କୋଠି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଥାନା ଅଧିକାରୀ ରୋନିତା ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମହିଳା ସଂଘ ଓ ଯୁବକ ଗୋଷ୍ଠୀ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ପୋଲିସ ଦୁଇ ମଦ ବେପାରୀ ଭାଇଙ୍କୁ ଥାନାକୁ ଡକାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।