ଆଜିଠୁ ଖଣିମନ୍ତ୍ରୀମାନଙ୍କୁ ନେଇ ୨ଦିନିଆ ସମ୍ମିଳନୀ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କୁ ନେଇ ଏକ ୨ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏବଂ ଶନିବାର କୋଣାର୍କ ଏବଂ ଭୁବନେଶ୍ୱରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଥମ ଦିନ କୋଣାର୍କ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ୍‌ ସିଂ କୁଲସ୍ତେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ଖଣି ସହ ଜଡ଼ିତ ବହୁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏହି ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଏଥିରେ ଖଣି ଓ ଇସ୍ପାତ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟ ବିଶେଷ ଭାବେ ରାଜ୍ୟଗୁଡିକ ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା କରାଯିବ। ସେହିପରି ଶନିବାର ଭୁବନେଶ୍ୱରରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ। ଏହି ଅବସରରେ ଇସ୍ପାତ କ୍ଷେତ୍ରରେ ଥିବା ସମସ୍ୟା ଏବଂ ଆବଶ୍ୟକ ନୀତିଗତ ବିଷୟବସ୍ତୁ ନେଇ ଆଲୋଚନା ଅନୁଷ୍ଠିତ ହେବ। ବିଶେଷଭାବେ ଇସ୍ପାତ କ୍ଷେତ୍ର ପାଇଁ ପିଏଲ୍‌ଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ। ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଗୁରୁବାର ବହୁ ଅତିଥି ଓଡ଼ିଶାରେ ପହଞ୍ଚି କୋଣାର୍କ ଏବଂ ଶ୍ରୀମନ୍ଦିର ପରିଦର୍ଶନ କରିଥିବା ଜଣାପଡ଼ିଛି।

Share