ଦୁଇଦିନ କାଳବୈଶାଖୀ, ପୁଣି ବଢ଼ିବ ତାତି

ଭୁବନେଶ୍ୱର,୯ା୪(ଅସମାପିକା ସାହୁ):ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ସୋମବାର ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ରବିବାର ଢେଙ୍କାନାଳ ଜିଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ୧୦ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପାଇଁ ୟେେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାପରେ ୧୨ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି। ତେବେ ୨୪ ଘଣ୍ଟା ପରେ ଧୀରେ ଧୀରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ୧୭ଟି ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତା’ଠାରୁ କମ୍‌ ରେକର୍ଡ କରାଯାଇଛି। ବରଗଡ଼ରେ ଦିନ ତାପମାତ୍ରା ସବୁଠାରୁ କମ୍‌ ଅର୍ଥାତ୍‌ ୨୫ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ା, ଭଦ୍ରକ, ବରଗଡ଼, ନୂଆପଡ଼ା, ରାଉରକେଲାରେ ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ଦୁଇଦିନ ଅର୍ଥାତ୍‌ ମଙ୍ଗଳବାର ଏବଂ ବୁଧବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ା ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାପରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share