ଦୁଇ ଦିନ ଗଲାନି, ଉଠିଗଲା ପିଚୁ

ପାରଳାଖେମୁଣ୍ଡି,୧୧।୧୨ (ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସୀତାସାଗର ହୁଡା ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣର ଦୁଇ ଦିନ ପରେ ପିଚୁ ଗୋଡ଼ି ଉଠିଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ବିଭାଗୀୟ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।
ସୀତାସାଗର ରାସ୍ତା ସୀମାନ୍ତ ଆନ୍ଧ୍ରକୁ ସଂଯୋଗ କରୁଥିବା ବେଳେ ଦୈନନନ୍ଦିନ ଶତାଧିକ ଯାନବାହାନ ଯାତାୟତ କରିଥାଏ । ଆନ୍ଧ୍ରର ଶ୍ରୀକାକୁଲମ ଜିଲାର ପ୍ରାୟ ୧୦ରୁ ଊର୍ଦ୍ଧ ଗ୍ରାମାଞ୍ଚଳର ଜନସାଧାରଣ ମୁଖ୍ୟତଃ ପାରଳାଖେମୁଣ୍ଡି ସହର ଉପରେ ନିର୍ଭର କରିଥାନ୍ତି। ସେହିପରି ପାରଳା ସହରର କେତେକ ଲୋକଙ୍କ ଚାଷ ଜମି ଉଭୟ ଆନ୍ଧ୍ର ଓ ଓଡିଶାରେ ଥିବା ଯୋଗୁଁ ଏହି ରାସ୍ତାରେ ଯାତାୟତ କରିଥାନ୍ତି। ଏହା ସହ ସହରବାସୀଙ୍କ ଶ୍ମଶାନ ଘାଟ, ମନ୍ଦିର ଆଦି ସୀମାନ୍ତ ଆନ୍ଧ୍ରରେ ରହିଛି। ତେଣୁ ଉଭୟ ଓଡିଶା ଓ ଆନ୍ଧ୍ରର ଲୋକେ ମୁଖ୍ୟତଃ ଗମନାଗମନ ପାଇଁ ଏହି ସୀତାସାଗର ହୁଡା ବା ରାସ୍ତା ଏକ ମାତ୍ର ଭରସା। ଏପରି ଗୁରୁତ୍ୱ ବହନ କରୁଥିବା ରାସ୍ତାର ଦୀର୍ଘ ବର୍ଷ ହେଲା ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡିଥିଲା। ଏହାକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦ଲକ୍ଷ ଟଙ୍କା ବ୍ୟୟ ବରାଦରେ କାମ ଆରମ୍ଭ କରିଛି। ଆନ୍ଧ୍ର ସୀମାନ୍ତରୁ ସହରର ଜଙ୍ଗମସାହି ପର୍ଯ୍ୟନ୍ତ ଏହି ରାସ୍ତା ମରାମତି ହେବ। ହେଲେ ନିର୍ମାଣ ଦୁଇ ଦିନ ଗଲାନି, ପ୍ରାୟ ତିନିଶହ ମିଟର ରାସ୍ତାର ପିଚୁଗୋଡି ଉଠିଯାଇଛି। ଗୋଡରେ ଆଡେଇ ଦେଲେ ଏହି ପିଚୁ ଉଠିଯାଉଛି। ଏହି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି କାମ ତଦାରଖ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୀତା ପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ପିଚୁ ଗୋଡି ଉଠିଯାଇଥିବା ରାସ୍ତା ପୁନଃ ନିର୍ମାଣ ହେବ ଏବଂ ଅବଶିଷ୍ଠ କାମଗୁଡିକ ମଧ୍ୟ ସଠିକ ମାର୍ଗରେ ହେବ।

Share