୨ଦିନ ହେଲା ଖାଇବା ଛାଡିଦେଇଛି ଦନ୍ତା

ସମ୍ବଲପୁର,୨୧ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ୍‌ ଅନ୍ତର୍ଗତ ସାପଲହରା ଗ୍ରାମ ପୋଖରୀରେ ୫ ଦିନ ହେଲା ଏକ ଆହତ ଦନ୍ତା ମୃତ୍ୟୁ ସହ ସଂଗ୍ରାମ କରୁଛି। ୨ ଦିନ ହେଲା ହାତୀଟି ସମ୍ପୂର୍ଣ୍ଣ ଖାଇବା ଛାଡ଼ିଦେଇଛି। କେବଳ ସାଲାଇନ୍‌ ଓ ଔଷଧ ଦିଆଯାଉଛି। ଶରୀରର ଗୋଟିଏ ପାର୍ଶ୍ୱ ପାଣି ଓ ପଙ୍କରେ ବୁଡ଼ିରହିଛି। ହାତୀଟି ଏତେ ଦୁର୍ବଳ ହୋଇଯାଇଛି ଯେ ନିଜ ଶରୀରକୁ ମଧ୍ୟ ସେ ହଲାଇ ପାରୁନାହିଁ। ସାତକୋଶିଆରୁ ଡାକ୍ତର କିଶୋର ସାହୁଙ୍କ ସହିତ ଏକ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କରୁଛି। ସମ୍ବଲପୁର ଜିଲା ବନ୍ୟପ୍ରାଣୀ ବିଶେଷଜ୍ଞ ଆବଶ୍ୟକ ଚିକିତ୍ସା ସେବା ଯୋଗାଉଥିବାବେଳେ ବନ କର୍ମଚାରୀ ଏହାକୁ ଜଗି ରହିଛନ୍ତି। ବର୍ତ୍ତମାନ କେବଳ ଭଗବାନଙ୍କ ଭରସାରେ ହାତୀଟି ରହିଛି ବୋଲି ଆଲୋଚନା ହେଉଛି।
ଡିଏଫ୍‌ଓ ବି. ନୀଳାମ୍ବର କହିଛନ୍ତି, ଦନ୍ତାକୁ ଯଥାସମ୍ଭବ ଚିକିତ୍ସା କରାଯାଉଛି। ବିଶେଷଜ୍ଞମାନେ ଆସିଛନ୍ତି। ହାତୀ ଦେହରେ ଜ୍ୱର ରହିଛି ବୋଲି ଡାକ୍ତରମାନେ କହୁଛନ୍ତି। ପାଣିରେ ବୁଡ଼ିରହିବା ଯେତିକି ସମସ୍ୟା ନୁହେଁ, ନ ଖାଇବା ଏକ ବଡ଼ ସମସ୍ୟା। ନିଜ ହିସାବରେ ଖାଦ୍ୟ ଖାଇବା ଆରମ୍ଭ କଲେ ଖୁବ୍‌ଶୀଘ୍ର ଭଲ ହୋଇଯିବ ବୋଲି ଟିମ୍‌ କହିଥିଲା। ସୂଚନାଯୋଗ୍ୟ, ମେ’୨୯ରେ ଆହତ ଦନ୍ତାକୁ ମୁର୍ଗାବାରି ଗ୍ରାମ୍ୟ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା। ଜୁନ୍‌ ୨ରୁ ଏହାର ଚିକିତ୍ସା ଆରମ୍ଭ ହୋଇଥିଲା। ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ, ସମ୍ବଲପୁର ବୁର୍ଲାର ଭିଏସ୍‌ ସତ୍ୟଜାତ ପଣ୍ଡା, ଯୁଯୁମୁରା ଭିଏସ୍‌ ଅମ୍ରତି ସାହୁଙ୍କୁ ନେଇ ଗଠିତ ଟିମ୍‌ ଚିକିତ୍ସା କରିଥିଲା। ଦନ୍ତାର ଗୋଡ଼ରେ ଗଭୀର କ୍ଷତ ରହିଥିଲା। ଟ୍ରାଙ୍କୁଲାଇଜ କରି କ୍ଷତ ସଫା କରିବା ପରେ ଆବଶ୍ୟକ ଇଞ୍ଜେକ୍‌ଶନ ଓ ଔଷଧ ଦିଆଯାଇଥିଲା।

Share