Categories: ମେଟ୍ରୋ

ମାଲିକ ପାଇଁ ଜୀବନ ଦେଲେ ଦୁଇ କୁକୁର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ବିଶ୍ୱାସ ଓ ପ୍ରଭୁଭକ୍ତିର ନିଦର୍ଶନ ପାଲଟିଲେ ଦୁଇ କୁକୁର। ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ। ଘଟଣାର ୧୨ ଦିନ ପରେ ଘଟଣାର ପର୍ଦ୍ଦାଫାଶ କରିଛି ସିସିଟିଭି। ଦୁଇ କୁକୁର ସାପ ସହ ଦୀର୍ଘ ସମୟ ଧରି ସଂଘର୍ଷ କରି ତଡ଼ି ଦେବାପରେ ନିଜେ ଚିର ନିଦ୍ରାରେ ଶୋଇଯାଇଛନ୍ତି। କାନନବିହାର ଫେଜ୍‌-୨ରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ଗତ ୧୬ ତାରିଖ ସକାଳେ ଡାକ୍ତର ଆର୍ଯ୍ୟକାନ୍ତ ମାଝିଙ୍କ ଦୁଇଟି ଲାବ୍ରାଡର କୁକୁର ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ମାଈ କୁକୁର ‘ସ୍ବିଟି’ ଘର ଭିତରେ ଓ ଅଣ୍ଡିରା ‘ବ୍ଲାକି’ ବାହାରେ ମରିପଡିଲା। ସେମାନେ ରହୁଥିବା ଘରର କବାଟ ଖୋଲା ରହିଥିବାବେଳେ କବାଟରେ ବନ୍ଧା ହୋଇଥିବା ଲୁହା ଶିକୁଳି ଛିଣ୍ଡିଯାଇଥିଲା। ଏହା କେଉଁ ଦୁର୍ବୃତ୍ତଙ୍କ କାର୍ଯ୍ୟ ହୋଇଥିବା ସନ୍ଦେହ କରି ଡାକ୍ତର ପରିବାର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିଥିଲେ ମଧ୍ୟ କିଛି ବି ସୁରାକ ମିଳି ନ ଥିଲା। ଶେଷରେ ଆର୍ଯ୍ୟକାନ୍ତ ମନ ଦୁଃଖରେ ୨ମଲା କୁକୁରକୁ ତାଙ୍କ ବଗିଚା ଭିତରେ ପୋତିଦେଇଥିଲେ। ତେବେ କେଉଁ ପରିସ୍ଥିତିରେ କୁକୁରଙ୍କର ମୃତ୍ୟୁ ଘଟିଲା ତାହା ମାଲିକଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଏବେ ସିସିଟିଭ୍‌ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ, ବଗିଚା ଭିତରକୁ ଏକ ବଡ଼ ସାପ ପଶୁଥିବାବେଳେ ଘର ଭିତରେ ଥିବା ଦୁଇ ସ୍ବିଟି ଓ ବ୍ଲାକି ଜାଣିପାରିଥିଲେ। ଉକ୍ତ ଘରର କବାଟ ଲୁହା ଶିକୁଳିରେ ବନ୍ଧା ହୋଇଥିବାରୁ ବାହାରକୁ ଆସି ସାପକୁ ଅଟକାଇବା ସମ୍ଭବ ହୋଇ ନ ଥିଲା। ସାପଟି ମାଲିକଙ୍କ ଘର ଭିତରକୁ ପଶିବା ପୂର୍ବରୁ ଦୁଇ ବିଶ୍ୱସ୍ତ କୁକୁର ପ୍ରାୟ ୧୦ ମିନିଟ୍‌ ଧରି କବାଟକୁ ଜୋର୍‌ରେ ଧକ୍କାଦେବାରୁ ଶେଷରେ ଲୁହା ଶିକୁଳିଟି ଛିଣ୍ଡିଯାଇଥିଲା। ଏହାପରେ ସାପଟିକୁ ଦୁହେଁ ଖୋଜାଖୋଜି କରିବା ସହ ଅନ୍ଧାର ଭିତରେ ମୁହାଁମୁହିଁ ହୋଇଥିଲେ। ଏହି ଘଟଣା ସିସିଟିଭିରେ ସ୍ପଷ୍ଟ ଦୃଶ୍ୟମାନ ହେଉ ନ ଥିଲେ ମଧ୍ୟ ପ୍ରଥମେ ସ୍ବିଟି ଘର ଭିତରକୁ ଚାଲି ଆସି ସେଇଠି ହିଁ ଆଖି ବୁଜିଛି। ପରେ ଲଢ଼େଇ ସ୍ଥଳରେ ହିଁ ବ୍ଲାକି ଟଳି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ସିସିଟିଭିରୁ ଏସବୁ ଦେଖିବା ପରେ ଡା. ମାଝିଙ୍କ ସାନ ଭାଇ ସ୍ନେକ୍‌ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଘଟଣାର ଅନୁସନ୍ଧାନ ପାଇଁ ଅନୁରୋଧ କରିଥିଲେ। ଶୁକ୍ରବାର ଶୁଭେନ୍ଦୁ ଅଭିଜ୍ଞ ସାପ ଉଦ୍ଧାରକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର(୬୭)ଙ୍କ ସହ ସେଠାରେ ପହଞ୍ଚତ୍ ଯାଞ୍ଚ କରିଥିଲେ। ସାପଟି ପ୍ରାୟ ୫ରୁ ୬ଫୁଟ ଲମ୍ବର ନାଗ ସାପ ବୋଲି ଶୁଭେନ୍ଦୁ ଚିହ୍ନଟ କରିଛନ୍ତି।

Share