ନୂଆ ଭାରିଆଣ୍ଟ୍‌ ପାଇଁ ଭାକ୍ସିନ୍‌ର ୨ଟି ଡୋଜ୍‌ ଜରୁରୀ…

ନୂଆଦିଲ୍ଲୀ/ଲଣ୍ଡନ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ ସୃଷ୍ଟି ହୋଇଥିବା ନୂଆ ଭାରିଆଣ୍ଟ୍‌ ବି-୧-୬୭୧-୨ ଅଧିକ ବେଗରେ ଲୋକଙ୍କୁ ଆକ୍ରାନ୍ତ କରୁଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍‌ର ୨ଟି ଡୋଜ୍‌ ଜରୁରୀ। ଗୋଟିଏ ଡୋଜ୍‌ ନୂଆ ଭାରିଆଣ୍ଟ୍‌ କବଳରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାକୁ ଅସମର୍ଥ ହେବ ବୋଲି ବ୍ରିଟେନ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଦ୍ୱାରା ଶରୀରରେ ବି-୧-୬୭୧-୨ ଭାରିଆଣ୍ଟ୍‌ ବିରୋଧରେ ୩୩ ପ୍ରତିଶତ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ସେହିପରି ବି-୧-୧-୭ ଭାରିଆଣ୍ଟ୍‌ ବିରୋଧରେ ୫୧ ପ୍ରତିଶତ ପ୍ରତିରୋଧକ କ୍ଷମତା ଉତ୍ପନ୍ନ ହୋଇ ପାରିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ଦ୍ୱିତୀୟ ଡୋଜ୍‌ ଭାକ୍ସିନ୍‌ ନେବାପରେ ବି-୧-୬୭୧-୨ ଭାରିଆଣ୍ଟ୍‌ ବିରୋଧରେ ୮୧ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ସେହିପରି ବି-୧-୧-୭ ଭାରିଆଣ୍ଟ୍‌ ବିରୋଧରେ ଶରୀରର ପ୍ରତିରୋଧକ କ୍ଷମତା ୮୭ ପ୍ରତିଶତ ବୃଦ୍ଧି ପାଇଥାଏ। ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାଦା କରାଯାଉଛି। ସରକାରଙ୍କ ପକ୍ଷରୁ କୋଭିଶିଲ୍ଡର ଦୁଇ ଡୋଜ୍‌ ମଧ୍ୟରେ ସମୟ ସୀମା ୧୨ରୁ ୧୬ ସପ୍ତାହ( ୩ରୁ ୪ମାସ) ରଖାଯାଇଛି। ତେବେ କୋଭାକ୍ସିନ୍‌ କ୍ଷେତ୍ରରେ ସମୟ ସୀମା ପୂର୍ବପରି ୪୨ ଦିନ ରହିଛି। ଭାକ୍ସିନ୍‌ର ପ୍ରଭାବକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନର ଯୋଜନା ପୁଣି ଥରେ ନୂଆ ଭାବେ କରିବାକୁ ପଡ଼ିବ ବୋଲି ରିପୋର୍ଟ ଦର୍ଶାଯାଇଛି।

Share