ସମ୍ବଲପୁର,୧୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବରେଇପାଲି ଛକରୁ ବନ ବିଭାଗର ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍(ଏସ୍ଟିଏଫ୍) ଗୁରୁବାର ଦୁଇଟି ହାତୀ ଦାନ୍ତ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୋନପୁର ଜିଲା ଉଲୁଣ୍ଡା ଥାନା ଦୀପାପାଲି ଗ୍ରାମର ହୃଷୀକେଶ କୁମ୍ଭାର ଏବଂ ସମ୍ବଲପୁର ଜିଲା ଚାରମାଲ ଥାନା କେଉଁଟିପାଲି ଗ୍ରାମର ଗୋପାଳକୃଷ୍ଣ ବୁଡେକ। ଏ ନେଇ ଏକ ମାମଲା(ନଂ.୩/୨୧) ରୁଜୁ ହୋଇଛି। ଜବତ ହାତୀଦାନ୍ତ ପରୀକ୍ଷା ପାଇଁ ଡେହେରାଦୁନ୍ ସ୍ଥିତ ବନ୍ୟପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଯାଇଛି। ବରେଇପାଲି ନିକଟରେ ହାତୀ ଦାନ୍ତ ଡିଲ୍ ହେଉଥିବା ନେଇ ସୂଚନା ପାଇ ଏସ୍ଟିଏଫ୍ ଟିମ୍ ପୂର୍ବରୁ ଛପି ରହିଥିଲା। ଡିଲ୍ ସମୟରେ ସେମାନେ ହାତୀଦାନ୍ତ ବେପାରୀଙ୍କୁ କାବୁ କରି ନେଇଥିଲେ।