ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ: ବନ୍ଧୁକ ଜବତ

ବାଲେଶ୍ୱର ଅଫିସ ,୬।୧୦-ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତୀ ଗାଡି ନେଇଯାଉଥିବା ଦୁଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତୀ ଲଗାଇ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଖନ୍ତାପଡା ଥାନା ଶେରଗଡ ଟୋଲଗେଟ୍‌ ନିକଟରେ ଏସ୍‌ଟିଏଫ୍‌ ଅଧିକାରୀ ପରିଚୟ ଦେଇ ଟଙ୍କା ମାଗିଥିଲେ। ଟୋଲଗେଟ୍‌ କର୍ମଚାରୀଙ୍କ ସନ୍ଦେହ ହେବାରୁ ଖନ୍ତାପଡା ଥାନାକୁ ଫୋନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନକଲି ଏସ୍‌ଟିଏଫ୍‌ ଅଧିକାରୀ ବନ୍ଧୁକ କାଢି ଟୋଲଗେଟ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯେଉଁଥିରେ ଜଣେ ପୋଲିସକର୍ମୀ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ପୋଲିସ ୨ ଜଣଙ୍କୁ କାବୁ କରିଥିବା ସହ ବ୍ୟବହାର ହୋଇଥିବା ସ୍କର୍ପିଓ ଗାଡ଼ି ଓ ବନ୍ଧୁକ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।