ଥଇଥାନ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଦୁଇ ପରିବାର

ଭଦ୍ରକ,୨୬ା୭(ସନାତନ ରାଉତ): ଭଦ୍ରକ ଜିଲାପାଳ ଅଫିସ ସମ୍ମୁଖରେ ବୁଧବାର ଥଇଥାନ ଦାବିରେ ୨ ପରିବାର ସଦସ୍ୟ ଧାରଣାରେ ବସିଛନ୍ତି। ଚାନ୍ଦବାଲି ତହସିଲ ଦୋଷୀଙ୍ଗା ମୌଜା ପ୍ରଦ୍ୟୁତନଗରରେ ଦୀର୍ଘବର୍ଷ ଧରି ରହି ଆସିଥିବା ଶୁଭେନ୍ଦୁ ଦଳେଇ ଓ ସୁଶାନ୍ତ ଦଳେଇ ଦୁଇ ପରିବାରକୁ ବିନା ନୋଟିସ୍‌ରେ ଗତ ଜୁନ୍‌ ୨୬ରେ ତହସିଲଦାରଙ୍କ ଉପସ୍ଥିତିରେ ବାସଗୃହ ଭାଙ୍ଗି ଉଚ୍ଛେଦ କରିଦିଆଗଲା। ଦୁଇ ପରିବାରର ୧୬ ଜଣ ସଦସ୍ୟ ଏବେ ବର୍ଷା ଦିନରେ ପଲିଥିନ୍‌ ଟାଙ୍ଗି ରହୁଥିବା କହିଛନ୍ତି। ସେମାନଙ୍କୁ ଭୂମିହୀନ ପଟ୍ଟା ଓ ଆବାସ ଯୋଜନାରେ ଘର ଯୋଗାଇବା ଦାବିରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏ ଧାରଣାରେ ବସି ରହିବେ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି।