Categories: ଜାତୀୟ

‘ପୂର୍ବରୁ ମହାତ୍ମା ଗାନ୍ଧୀ ଥିଲେ, ଏବେ ଆଧୁନିକ ଭାରତର ରାଷ୍ଟ୍ରପିତା ହେଉଛନ୍ତି ମୋଦି’

ମୁମ୍ବାଇ,୨୧।୧୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସ୍ତ୍ରୀ ଅମୃତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଧୁନିକ ଭାରତର ରାଷ୍ଟ୍ରପିତା ବୋଲି କହିଛନ୍ତି। ମଙ୍ଗଳବାର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଅମୃତା ଏହା କହିଛନ୍ତି। ମହାତ୍ମା ଗାନ୍ଧୀ କିଏ ବୋଲି ପଚରାଯିବାରୁ ଅମୃତା କହିଛନ୍ତି, ଆମ ଦେଶରେ ଦୁଇଜଣ ପିତା ଅଛନ୍ତି। ମହାତ୍ମା ଗାନ୍ଧୀ ପୂର୍ବରୁ ରାଷ୍ଟ୍ରପିତା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଆଧୁନିକ ଭାରତର ପିତା।
ଏହେି କାର୍ଯ୍ୟକ୍ରମରେ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିଜେ ରାଜନୈତିକ ମନ୍ତବ୍ୟ ଦେବାକୁ ପସନ୍ଦ କରେ ନାହିଁ। ସାଧାରଣ ଲୋକମାନେ ମୋର ମନ୍ତବ୍ୟକୁ ଟ୍ରୋଲ କରନ୍ତି ନାହିଁ। ଏହି କାର୍ଯ୍ୟ ଏନସିପି କିମ୍ବା ଶିବସେନାର ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ। ମୁଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଏ ନାହିଁ। ମୁଁ କେବଳ ମୋ ମା’ କିମ୍ବା ଶାଶୁଙ୍କୁ ଭୟ କରେ। ମୁଁ ବାକି ବିଷୟରେ ଚିନ୍ତା କରେ ନାହିଁ।
ରାଜନୀତିରେ ପ୍ରବେଶ କରିବା ପ୍ରଶ୍ନରେ ଅମୃତା କହିଛନ୍ତି, ରାଜନୀତିରେ ଯୋଗଦେବାକୁ ମୋର ଆଗ୍ରହ ନାହିଁ। ରାଜନୈତିକ କାର୍ଯ୍ୟ ପାଇଁ ମୁଁ ମୋର ୨୪ ଘଣ୍ଟା ଦେଇ ପାରିବି ନାହିଁ। ମୋ ସ୍ବାମୀ ସମାଜର କାର୍ଯ୍ୟ ପାଇଁ ୨୪ ଘଣ୍ଟା ଦିଅନ୍ତି। ସେଥିପାଇଁ ଯେଉଁମାନେ ରାଜନୀତି ଏବଂ ସମାଜ ପାଇଁ ୨୪ ଘଣ୍ଟା ଦେଇପାରିବେ, କେବଳ ସେମାନେ ରାଜନୀତି କରିବାକୁ ଯୋଗ୍ୟ ଅଟନ୍ତି। ଦେବେନ୍ଦ୍ର ଜୀ ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌ ବୋଲି ସେ କହିଛନ୍ତି।
୩ ବର୍ଷ ପୂର୍ବେ ମଧ୍ୟ ଅମୃତା ନରେନ୍ଦ୍ର ମୋଦିଙ୍କୁ ଜାତିର ପିତା ଭାବରେ ଉଲ୍ଲେଖ କରିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା, କିନ୍ତୁ ସେ ତାଙ୍କ ବିବୃତ୍ତିରେ ଦୃଢ ଼ ରହିଥିଲେ।

Share