ରାଣୀର ଲମ୍ବ ୨୦ ଇଞ୍ଚ

ଢାକା,୧୩ ।୭: ବାଂଲାଦେଶର ଏକ ଗାଈ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାକୁ ତା’ ମାଲିକଙ୍କ ଘରେ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକଙ୍କ ଭିଡ ଲାଗୁଛି । ବାଂଲାଦେଶରେ କରୋନାର ପ୍ରକୋପ କମ୍ ହୋଇ ନ ଥିଲେ ବି ଏହାରି ଭିତରେ ଲୋକେ ରାଣୀକୁ ଦେଖିବାକୁ ଯାଉଛନ୍ତି । ୨୦ ଇଞ୍ଚର ଏହି ଗାଈ ରାଣୀ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହାର ଉଚ୍ଚତା ମାତ୍ର ୫୧ ସେଣ୍ଟିମିଟର ବା ପାଖାପାଖି ୨୦ ଇଞ୍ଚ । ଲାଞ୍ଜରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଲମ୍ବ ୨୬ ଇଞ୍ଚ । ଏହାର ଓଜନ ୨୮ କିଲୋଗ୍ରାମ । ରାଣୀର ମାଲିକ ଦାବି କରନ୍ତି ଏହା ବିଶ୍ୱର ସବୁଠାରୁ ଛୋଟ ଗାଈ । ତାଙ୍କର କହିବା କଥା ହେଲା ଏପର୍ଯ୍ୟନ୍ତ ଗିନିଜ ୱାର୍ଲଡ ରେକର୍ଡରେ ଯେଉଁ ଗାଈ ସ୍ଥାନ ପାଇଛି ତାହାଠାରୁ ଏହା ୪ ଇଞ୍ଚ ଛୋଟ । ହେଲେ ଏପର୍ଯ୍ୟନ୍ତ ଗିନିଜ ୱାର୍ଲଡ ରେକର୍ଡ ପକ୍ଷରୁ କିଛି ଦାବି କରାଯାଇ ନାହିଁ । ରାଣୀ ବାଂଲାଦେଶର ରାଜଧାନୀ ଢାକା ନିକଟ ଚାରିଗ୍ରାମର ଏକ ଫାର୍ମ ହାଉସରେ ରହୁଛି । ଏହି ଫାର୍ମ ହାଉସର ମ୍ୟାନେଜର କୁହନ୍ତି ସେ ଗିନିଜ ୱାର୍ଲଡ ରେକର୍ଡ ପାଇଁ ରାଣୀର ନାମ ସବୁଠାରୁ ଛୋଟ ଗାଈ ଭାବେ ସ୍ଥାନ ଦେବାକୁ ଆବେଦନ କରିଛନ୍ତି । ବର୍ତ୍ତମାନ ରାଣୀର ବୟସ ପାଖାପାଖି ୨ ବର୍ଷ । ଏବେ ଗିନିଜ ୱାର୍ଲଡ ରେକର୍ଡ ସବୁଠାରୁ ଛୋଟ ଗାଈର ରେକର୍ଡ ଭାରତ ନିକଟରେ ରହିଛି । କେରଳର ମାଣିକ୍ୟମ ନାମକ ଏକ ଗାଈ ଗିନିଜ ୱାର୍ଲଡ ରେକର୍ଡରେ ସବୁଠାରୁ ଛୋଟ ଗାଈ ଭାବେ ସ୍ଥାନିତ ହୋଇଛି । ଯାହାର ଲମ୍ବ ୨୪ ଇଞ୍ଚ । ଯଦି ରାଣୀକୁ ଗିନିଜ ୱାର୍ଲଡ ରେକର୍ଡ ମାନ୍ୟତା ପ୍ରଦାନ କଲା ତ ଏହି ରେକର୍ଡ ବାଂଲାଦେଶକୁ ଚଲିଯିବ ।

Share