ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି, ଯାନବାହନ ଚଳାଚଳ ବନ୍ଦ

କୋରୁକୋଣ୍ଡା,୬ା୯(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମଓ୍ବାଡା ପଞ୍ଚାୟତ ଏମ୍‌ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବା ରାସ୍ତାରେ ବହୁଦିନ ଧରି ଏକ ପୋଲ ରହିଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ପ୍ରାୟ ୪ରୁ ଊର୍ଦ୍ଧ୍ୱ ଗ୍ରାମବାସୀ। ଚଳିତ ଲଘୁଚାପ ଜନିତ ଦୁଇଦିନର ଲଗାଣ ବର୍ଷାରେ ଏମ୍‌ଭି-୨୮ଗ୍ରାମଠାରୁ ମାରକେଲଗୁଡ଼ା ଯିବାକୁ ଥିବା ରାସ୍ତାରେ ଥିବା ଉକ୍ତ ପୋଲ ଉପରେ ଦୁଇ ଫୁଟରୁ ଅଧିକ ପାଣି ହୋଇଯିବାରୁ ଯିବା ସେହି ରାସ୍ତା ଦେଇ ଯାନବାହନ ଯିବା ଆସିବା ପୂରା ବନ୍ଦ ହୋଇଯାଇଛି। ନିଜ ନିଜର ଚାଷଜମିକୁ ଯିବା ପାଇଁ ଲୋକେ ବାଧ୍ୟ ହୋଇ ସେହି ପାଣିରେ ପଶିଯିବା ଆସିବା କରିବା ସହିତ ଗୃହପାଳିତ ପଶୁମାନଙ୍କୁ ଚରାଇବା ଲାଗି ନେଇ ଯିବା ସମୟରେ କିଛି ଭାସିଯାଉଥିବା କହିଛନ୍ତି ଗ୍ରାମବାସୀ। ଏହିପରି ସମସ୍ୟାରେ ରହିଥିବା ବେଳେ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନ ସମେତ ସ୍ଥିନୀୟ ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି ଅଞ୍ଚଳବାସୀ।