ହାରିଗଲେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା

ବରଗଡ଼ ଅଫିସ୍‌,୨୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ (ଭାଜପା) ଏବଂ ଗୀତାଞ୍ଜଳୀ ପୁଟା(ବିଜେଡ଼ି)ଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି । ବରଗଡ଼ ଜୋନ୍‌-୧ରୁ ଭାଜପା ପ୍ରାର୍ଥିନୀ ରହିଥିବା ମୁକ୍ତାଙ୍କୁ ବିଜେଡ଼ି ପ୍ରାର୍ଥିନୀ ପୁଷ୍ପା ଭୋଇ ୧୪୯୯ ଭୋଟ ବ୍ୟବଧାନରେ ହରାଇଛନ୍ତି । ପୁଷ୍ପାଙ୍କ ସପକ୍ଷରେ ୧୦ ହଜାର ୭୦୦ଖଣ୍ଡ ଭୋଟ୍‌ ପଡ଼ିଥିବା ବେଳେ ମୁକ୍ତାଙ୍କୁ ୯୨୦୧ ଭୋଟ୍‌ ମିଳିଛି।

ଚଳିତ ପଞ୍ଚାୟତ ଭୋଟ୍‌ରେ ପରାଜିତ ହୋଇଥିବା ମୁକ୍ତା ୨୦୧୭ରେ ଭାଜପାରୁ ଲଢ଼ି ବିଜୟୀ ହେବା ସହିତ ଜିଲା ପରିଷଦ ଅଧ୍ୟକ୍ଷା ପଦବୀରେ ରହିଥିଲେ । ଅନୁରୂପ ଭାବେ ପାଇକମାଲ ଜୋନ-୧ରୁ ଅନ୍ୟଜଣେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ବିଜେଡ଼ି ପ୍ରାର୍ଥିନୀ ଗୀତାଞ୍ଜଳି ପୁଟାଙ୍କୁ ପରାଜିତ ହେବାକୁ ପଡ଼ିଛି । ଗୀତାଞ୍ଜଳିଙ୍କୁ ୫୮୫ ଭୋଟ ବ୍ୟବଧାନରେ ଭାଜପା ପ୍ରାର୍ଥିନୀ ତ୍ରିପୁରା ବରିହା ହରାଇଛନ୍ତି । ୨୦୧୨ ପଞ୍ଚାୟତ ଭୋଟରେ ଗୀତାଞ୍ଜଳି ବିଜେଡ଼ି ପ୍ରାର୍ଥିନୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଳାଇ ବିଜୟୀ ହେବା ସହିତ ସେତେବେଳେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀରେ ରହିଥିଲେ। ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ଏଭଳି ପରାଜୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।

Share