ରିମାଣ୍ଡ ଅବଧି ପୂର୍ବରୁ ଦୁଇ ବନ୍ଧୁଙ୍କୁ ଜାମିନ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କୋଭିଡ୍‌ ହସ୍ପିଟାଲ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ବୁଧବାର ଜାମିନ ମିଳିଛି। ଜଣେ ଜାମିନଦାର ଓ ୧୦ହଜାର ଟଙ୍କା ମୁଚାଲିକାରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ସନ୍ଧ୍ୟାରେ ଉଭୟ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ମଙ୍ଗଳବାର ପୋଲିସ ଉଭୟଙ୍କୁ ପଚରାଉଚରା ପାଇଁ ୩ ଦିନ ରିମାଣ୍ଡରେ ନେଇଥିଲା। ହେଲେ ରିମାଣ୍ଡ ଅବଧି ସରିବା ପୂର୍ବରୁ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ପୋଲିସ ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ତଥ୍ୟ ଓ ପ୍ରମାଣକୁ ପରଖିବା ପରେ କୋର୍ଟ ସେମାନଙ୍କୁ ଜାମି ପ୍ରଦାନ କରିଥିଲେ।
ସୂଚନା ଅନୁଯାୟୀ, ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍‌ ହେଉଛନ୍ତି ଦୁଇ ବନ୍ଧୁ। ଲକ୍ଷ୍ମୀକାନ୍ତ କରୋନାରେ ଆକ୍ରାନ୍ତ ହୋଇ ଜୁଲାଇ ୧୭ରେ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଶ୍ୱଜିତ୍‌ ତାଙ୍କୁ ଫୋନ୍‌ କରି ତାଙ୍କର ଅନୁଭୂତି ଜାଣିବାକୁ ଚାହିଁଥିଲେ। ଲକ୍ଷ୍ମୀକାନ୍ତ କରୋନା ଓ ଚିକିତ୍ସାକୁ ନେଇ ଯାହା କହିଥିଲେ ତାହାର ଅଡିଓକୁ ବିଶ୍ୱଜିତ୍‌ ୨୦ରୁ ୨୫ଜଣ ସାଙ୍ଗଙ୍କ ପାଖକୁ ପଠାଇଥିଲେ। ଏହାପରେ ଉକ୍ତ ଅଡିଓଟି ଭାଇରାଲ୍‌ ହୋଇଯିବାରୁ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ବିଏମ୍‌ସି ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ମାମଲା ରୁଜୁକରି ଉଭୟ ବିଶ୍ୱଜିତ୍‌ ଓ ଲକ୍ଷ୍ମୀକାନ୍ତଙ୍କୁ ସୋମବାର ଗିରଫ କରିଥିଲା।

Share