ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଶିଶୁକନ୍ୟାଙ୍କ ଜୀବନ

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ସିନ୍ଦୂରପୁର ଗାଁରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ଶିବମନ୍ଦିର ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସନ୍ତୋଷ ନାୟକଙ୍କ ଝିଅ ସେଲାନି ନାୟକ(୬) ଏବଂ ବଳରାମ ଡାକୁଆଙ୍କ ଝିଅ ତୁଳସୀ ଡାକୁଆ(୬)।

ମିଳିଥିବା ସୂଚନା ମୁତାବକ, ଦୁହେଁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ। ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ଦୁଇ ଶିଶୁକନ୍ୟା ପାଣିରେ ବୁଡ଼ି ଯାଇଥିଲେ। ଉଭୟେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହ ପୋଖରୀରେ ପହଞ୍ଚି ଥିଲେ। ପୋଖରୀ ତୁଠରେ ସେମାନଙ୍କ ପୋଷାକ ଥିବା ଦେଖିବାକୁ ପାଇଥିଲେ। ପରେ କେତେଜଣ ଯୁବକ ପାଣିରେ ପଶି ଖୋଜିବା ସହ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଅଚେତ ଅବସ୍ଥାରେ ୨ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ଶୁଣି ସ୍ବାସ୍ଥ୍ୟକେନ୍ଦ୍ର ପରିସର ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡିଥିଲା।

ଖବର ପାଇ ପାଟପୁର ଥାନା ଏସଆଇ ହିମାଂଶୁ ପାତ୍ର ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ପୋଲିସ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା(ନଂ.୧୪/୨୪), (ନଂ୧୫/୨୪) ରୁଜୁ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗ୍ରାମରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।

Share