ଗ୍ବାଲିଅର,୨୨।୧୧: ମଧ୍ୟପ୍ରଦେଶ ଗ୍ବାଲିଅରରେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୧.୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା ଜବତ କରିଥିବା ଗ୍ବାଲିଅର ଏସ୍ପି ଋଷିକେଶ ମିନା ପ୍ରକାଶ କରିଛନ୍ତି।
ପୋଲିସ ଲୁଟ ଘଟଣାରେ ସମ୍ପୃକ୍ତ ଗାଡ଼ି ଡ୍ରାଇଭର ଏବଂ ଅନ୍ୟଜଣଙ୍କୁ ଗିରଫ କରିଛି। ଏହା ଏକ ଯୋଜନା ମୁତାବକ ଲୁଟ କରାଯାଇଥିବା ପୋଲିସ କହିଛି। ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ପ୍ରତିଷ୍ଠାନର ଦୁଇଜଣ କର୍ମଚାରୀ ଏକ କାର୍ରେ ଟଙ୍କା ଡିପୋଜିଟ୍ କରିବାକୁ ବ୍ୟାଙ୍କକୁ ଯାଉଥିଲେ। ସେତିକିବେଳେ ବାଟରେ ଦୁଇଜଣ ଯୁବକ ଏକ ବାଇକ୍ରେ ଆସି କାର୍କୁ ଅଟକାଇଥିଲେ। ପରେ ଯୁବକ ଦ୍ୱୟ ବନ୍ଧୁକ ଦେଖାଇ ସେମାନେ ଧରିଥିବା ଟଙ୍କାବ୍ୟାଗ ଛଡାଇ ଚମ୍ପଟ ମାରିଥିଲେ।