ମଝି ଆକାଶରେ ୨ ହେଲିକପ୍ଟର ମଧ୍ୟରେ ଧକ୍କା: ୧୫ ମୃତ

କାବୁଲ, ୧୪।୧୦: ଆଫଗାନିସ୍ତାନରେ ୨ ବାୟୁସେନା ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଲଶ୍କର ଗେହ ନିକଟସ୍ଥ ନଓ୍ବା-ଇ ବର୍କଜାୟି ଜିଲାରେ ସୈନ୍ୟବାହିନୀଙ୍କୁ ଆଣିବା କାର୍ଯ୍ୟରେ ନିଯୋଜିତ ଥିବା ଏହି ହେଲିକପ୍ଟର ୨ଟି ମଝି ଆକାଶରେ ନିୟନ୍ତ୍ରଣ ହରାଇ ପରସ୍ପର ମଧ୍ୟରେ ପିଟି ହୋଇଥିଲେ। ଘଟଣା ମଙ୍ଗଳବାର ମଧ୍ୟ ରାତ୍ରରେ ଘଟିଥିବା କୁହାଯାଉଛି। ରାତି ଅନ୍ଧାର ଯୋଗୁ ହୁଏତ କିଛି ଅସୁବିଧା ହୋଇଥିବା ଅନୁମାନ କରାଯାଉଛି। ହେଲିକପ୍ଟରରେ ଚିକିତ୍ସା ପାଇଁ ଆସୁଥିବା କିଛି ଆହତ ସୈନ୍ୟଙ୍କର ମଧ୍ୟ ଏଥିରେ ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲମଣ୍ଡ ପ୍ରଦେଶ ଗଭର୍ନରଙ୍କ ପ୍ରବକ୍ତା ଉମର ଜଓ୍ବାକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ସୈନ୍ୟ ବାହିନୀ ଏବଂ ତାଲିବାନ ଆତଙ୍କବାଦୀ ସଂଗଠନ ମଧ୍ୟରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ ଜାରି ରହିଛି। ଶାନ୍ତି ଆଲୋଚନା ଜାରି ରହିଥିଲେ ମଧ୍ୟ ଏହା ସଫଳ ହୋଇପାରୁନାହିଁ।

Share