ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ ସଞ୍ଜରେ ଆମର ଭେଟ ହୁଏ ସାମନ୍ତରାପୁରରେ ଥିବା ଏକ ଚା’ ଦୋକାନରେ। ସେଠାକୁ ଆମର ଅନେକ ସାହିତି୍ୟକ ବନ୍ଧୁ ବି ଆସନ୍ତି। ଖଟି ହୁଏ, ଆଲୋଚନା ବି ହୁଏ, ତା’ସାଙ୍ଗକୁ ଚା’ ପିଇବା ଓ ଖାଇବାପିଇବା ବି ହୁଏ ଆମର ସେଠାରେ। ଦିନେ ବାଳକାଟି କଲେଜର ତତ୍କାଳୀନ ଅଧ୍ୟକ୍ଷ ସକାଳେ ସେହି ଖଟିରେ ଦେଖାହେଲେ ଓ ମୋତେ କହିଲେ, ଓଡ଼ିଆ ଅଧ୍ୟାପିକା ହଠାତ୍‌ ଇସ୍ତଫା ଦେଇ ଦେଇଛନ୍ତି। ତୁମକୁ କ୍ଲାସ୍‌ ନେବାକୁ ପଡ଼ିବ। ସାର୍‌ଙ୍କ କଥା ରଖି ବନ୍ଧୁ ଅଜୟଙ୍କୁ ଧରି ଠିକ୍‌ ସମୟରେ କଲେଜରେ ପହଞ୍ଚତ୍ଗଲି। ସେଠାରେ ଆମେ ଦୁଇଜଣ କ୍ଲାସ୍‌ ନେଲୁ। ଅଧ୍ୟାପନାର ନୂଆ ଅନୁଭୂତି, ଯେତିକି ନିଆରା ଲାଗୁଥିଲା ସେତିକି ଖୁସି ଲାଗୁଥିଲା ଆମ ଦୁହିଁଙ୍କୁ। ତେବେ ସକାଳୁଆ କଲେଜ ହେଉଥିବାରୁ ସେଠାରେ କ୍ଲାସ୍‌ ନେଇ ସାରିବା ପରେ ନିଜର ଏମ୍‌.ଏ. କ୍ଲାସ୍‌ ଆଟେଣ୍ଡ କରିବାରେ ଆମର କିଛି ଅସୁବିଧା ହେଉ ନ ଥିଲା। ଏମିତି ୧୫ ଦିନ ବିତିଗଲା। ୧୫ ଦିନ ପରେ ଅଧ୍ୟକ୍ଷ ଆମକୁ ୪୦୦ ଟଙ୍କା ଧରାଇ ଦେଇ କହିଲେ, ଏ ନିଅନ୍ତୁ ଆପଣମାନଙ୍କ ଦରମା। କଲେଜରେ ପାଠ ପଢ଼ାଇଲାବେଳେ ଆମେ ଜାଣି ନ ଥିଲୁ ଏଥିପାଇଁ ଆମକୁ ପାରିଶ୍ରମିକ ମିଳିବ ବୋଲି। କିନ୍ତୁ ଏହା ମିଳିବା ପରେ ନିଜ ଉପରେ ଆମର ବିଶ୍ୱାସ ଆସିଗଲା। ଯେହେତୁ ଗୋଟିଏ ଅଧ୍ୟାପକ ପୋଷ୍ଟରେ ଆମେ ଦୁଇଜଣ କାମ କରୁଥିଲୁ, ତେଣୁ ୨୦୦ ଟଙ୍କା ଲେଖାଏଁ ବାଣ୍ଟିନେଲୁ। ପରେ ସେହି ଟଙ୍କାରେ ପ୍ରଥମେ ଯାଇ ସାମନ୍ତରାପୁର ଖଟି ଦୋକାନରେ ଥିବା ବାକି ଶୁଝି ଦେଖିଲୁ ପକେଟ୍‌ରେ ଆହୁରି ଅନେକ ଟଙ୍କା ଅଛି। ଭାରି ଖୁସି ଲାଗିଲା। ତା’ପରେ ଦୁଇବନ୍ଧୁ ଯାଇ ପେଟଭରି ହୋଟେଲରେ ଖାଇଲୁ ଏବଂ କଳ୍ପନା ସିନେମା ହଲ୍‌ରେ ଗୋଟାଏ ହିନ୍ଦୀ ଫିଲ୍ମ ଦେଖିଲୁ। ସନ୍ଧ୍ୟାବେଳକୁ ପୁଣି ଖଟିରେ ଯାଇ ପହଞ୍ଚତ୍ଗଲୁ। ସେଦିନ ଖଟିର ସମସ୍ତ ଚା’ର ପଇସା ମୁଁ ପୈଠ କରିଥିଲି।

 

ନିଜ ରୋଜଗାରରେ ସେଦିନ ବନ୍ଧୁମାନଙ୍କୁ ଆପ୍ୟାୟିତ କରିଥିବାରୁ ମୋତେ ଭାରି ଖୁସି ଲାଗୁଥିଲା। ତା’ପରେ ଘରକୁ ଗଲି। ଆଉ ଯେତିକି ଟଙ୍କା ବଳି ପଡ଼ିଥିଲା ସବୁ ନେଇ ବୋଉ ହାତରେ ଦେଇ କହିଲି, ‘ତୁ ରଖ’। ପରେ ଜାଣିବାକୁ ପାଇଲି, ବୋଉ ସେ ଟଙ୍କାରେ ଆଉ କିଛି ଟଙ୍କା ମିଶାଇ ଫେରିବାଲାଠାରୁ ଗୋଟେ ଘରପିନ୍ଧା ଶାଢି କିଣିଥିଲା ଆଉ ସମସ୍ତଙ୍କୁ ଦେଖେଇ କହୁଥିଲା ‘ଏ ଶାଢିଟା ମୁଁ ମୋ ପୁଅ ରୋଜଗାରରେ କିଣିଛି’। ସତରେ ମୋର ସ୍ବଳ୍ପ ଟଙ୍କାରେ ଶାଢି କିଣି ମୋ ବୋଉ ସେଦିନ ଯେତିକି ଖୁସି ହୋଇଥିଲା, ସେ ଖୁସି ଆଗରେ ଅନ୍ୟ ଦାମୀ ଶାଢିର ମୂଲ୍ୟ ବି ତାକୁ ଫିକା ଲାଗୁଥିଲା। ତେଣୁ ପ୍ରଥମ ପ୍ରେମର ସ୍ମୃତି ପରି ପ୍ରଥମ ରୋଜଗାରର ଅନୁଭୂତି ଏବେ ବି ମୋ ମନରେ ସେମିତି ସାଇତି ହୋଇ ରହିଛି। ଆଉ ଜୀବନରେ ଅନେକ ପାରିଶ୍ରମିକ ପାଇଥିଲେ ବି ମୂଳ ୨୦୦ ଟଙ୍କାର ମୂଲ୍ୟ ଏବେ ବି ମୋ ପାଇଁ ଅମୂଲ ମୂଲ ହୋଇରହିଛି।

Share