ମାଞ୍ଜାସୁତାରେ ପୁଣି ଜଣକ ବେକ କଟିଲା

କଟକ,୧୬ା୧ (କାର୍ତ୍ତିକ ସାହୁ) ଗୁଡ଼ିରେ ବ୍ୟବହୃତ ମାଞ୍ଜାସୂତା ଲାଗି ପୁଣି ଜଣକ ବେକ କଟିଛି। ବାଦାମବାଡ଼ି ଅଞ୍ଚଳରେ ମଙ୍ଗଳବାର ଅପରାହ୍ଣରେ ଘଟିଛି ଏଭଳି ଅଘଟଣ। ଆହତ ବ୍ୟକ୍ତି ଜଣକ ହେଲେ ୪୨ ମୌଜା ନହରପଦା ଗ୍ରାମର ଶିବ ପ୍ରସାଦ ପଣ୍ଡା(୪୮)।

ସୂଚନାନୁସାରେ, ଆହତ ଶିବପ୍ରସାଦ ବାଦାମବାଡି ଅଞ୍ଚଳରେ ଯାଉଥିବା ବେଳେ ହଠାତ୍‌ ଗୁଡିସୂତା ତାଙ୍କ ବେକରେ ଲାଗିଯାଇଥିଲା। ଏହାଦ୍ୱାରା ତାଙ୍କ ବେକ କଟିଯାଇଛି। ସେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ମକର ସଂକ୍ରାନ୍ତି ସୋମବାର ସକାଳୁ ମାଞ୍ଜାସୂତା ଲାଗି ନିଆଳି ଅଞ୍ଚଳର ୨ ଜଣ ଯୁବକ ଆହତ ହୋଇଥିଲେ। ଜଣେ ଯୁବକଙ୍କ ବେକରେ ମାଞ୍ଜାସୁତା ଲାଗି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କ ପାପୁଲି କଟି ରକ୍ତାକ୍ତ ହୋଇଥିଲା। ଯୁବକଦ୍ୱୟ କୌଣସି କାମରେ ବାଇକ ଯୋଗେ ନିଆଳିରୁ କଟକ ଅଭିମୁଖେ ଆସୁଥିଲେ। ଗୋପଳପୁର ନିକଟରେ ଏଭଳି ଅଘଟଣର ସେମାନେ ସାମ୍ନା କରିଥିଲେ। ସେହିପରି ଗତ ସପ୍ତାହରେ ମର୍କତନଗର ସେକ୍ଟର-୧୦ ଅଞ୍ଚଳର ମଧ୍ୟ ଏଭଳି ଅଘଟଣ ଘଟିଥିଲା। ଏଥିରେ ପ୍ରମୋଦ ସାମନ୍ତରାୟ ଓ ବିରିବାଟୀ ଅଞ୍ଚଳର ଭୋଳାଶଙ୍କର ପରିଡ଼ା ବେକରେ ମାଞ୍ଜା ସୂତା ଲାଗି ଆହତ ହୋଇଥିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ପୋଲିସ ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Share