Categories: ଜାତୀୟ

ରାଞ୍ଚି ହିଂସାରେ ଆହତ ୨ବ୍ୟକ୍ତିଙ୍କ ଜୀବନ ଗଲା

ରାଞ୍ଚି,୧୧।୬: ପ୍ରଫେଟ ମହମ୍ମଦ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ରହିଥିବା ଭାଜପାର ୨ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶରେ ଉତ୍ତେଜନା ତେଜିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ଝାଡ଼ଖଣ୍ଡ ରାଞ୍ଚିରେ ହୋଇଥିବା ହିଂସା ପ୍ରଦର୍ଶନ ସମୟରେ ଆହତ ହୋଇଥିବା ୨ଜଣ ବ୍ୟକ୍ତିଙ୍କ ଶନିବାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨ମୃତଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ସେ ମୁଦାସିର ଓରଫ କେଫି ବୋଲି ଜଣାପଡ଼ିଛି। ଏନେଇ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ୮ଜଣ ବ୍ୟକ୍ତି ଉକ୍ତ ହସ୍ପଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆହତଙ୍କ ମଧ୍ୟରେ କେତେଜଣ ପୋଲିସ କର୍ମୀ ମଧ୍ୟ ରହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାଞ୍ଚିରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ହିଂସା ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପ୍ରଦର୍ଶନକାରୀ ପୋଲିସ ଉପରେ ପଥରମାଡ଼ କରିଥିଲେ। ଫଳରେ ପୋଲିସ ମଧ୍ୟ ସେମାନଙ୍କୁ ଅଟକାଇବାକୁ ଯାଇ ଫାଙ୍କା ଗୁଳି ଚାଳନା କରିଥିଲା। ତେବେ ଏହି ସମୟରେ କିଛି ଲୋକଙ୍କୁ ଗୁଳି ବାଜିବାରୁ ଆହତ ହୋଇଥିଲେ।

Share