ଇମ୍ଫାଲ, ୨୮ା୫: ମଣିପୁରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଏବଂ ଉଗ୍ରପନ୍ଥୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଛନ୍ତି। କୁକି ଉଗ୍ରପନ୍ଥୀଙ୍କ ଗୁଳିରେ ଇମ୍ଫାଲ ଓ୍ବେଷ୍ଟ ଜିଲାର ଫୟେଙ୍ଗ୍ରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ଲାଗି କୁକି ସମ୍ପ୍ରଦାୟକୁ ଅସ୍ତ୍ରବିହୀନ କରିବା ନିମନ୍ତେ ସେନା ପକ୍ଷରୁ କୋମ୍ବିଂ ଅପରେଶନ ଚାଲିଥିବାବେଳେ ସଂଘର୍ଷ ହୋଇଥିଲା। ମଣିପୁରରେ ଜାତିଆଣ ସଂଘର୍ଷ ପରେ ଶାନ୍ତି ସ୍ଥାପନ ପାଇଁ ନିୟୋଜିତ ସଶସ୍ତ୍ର ବଳ ସହ ବିଭିନ୍ନ ସମୟରେ ଉଗ୍ରପନ୍ଥୀମାନଙ୍କ ସଂଘର୍ଷ ଘଟୁଛି। ଏହି ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ସଶସ୍ତ୍ର ଉଗ୍ରପନ୍ଥୀ ନିହତ ହେଲେଣି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂ ରବିବାର କହିଛନ୍ତି।