Categories: ଜାତୀୟ

ଆସ୍ଥାଭୋଟ ପୂର୍ବରୁ ୨ ବିଧାୟକଙ୍କ ଇସ୍ତଫା

ପୁଡୁଚେରୀ, ୨୨।୨: ଆସ୍ଥା ଭୋଟ୍‌ର ଦିନକ ପୂର୍ବରୁ ପୁଡ଼ୁଚେରୀର ଆଉ ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣନ ଇସ୍ତଫା ଦେବା ସହ ଦଳ ଛାଡ଼ିବେ ବୋଲି କହିଛନ୍ତି। ଏଥିସହିତ ସହଯୋଗୀ ଦଳ ଡିଏମ୍‌କେର ବିଧାୟକ ଭେଙ୍କଟେଶ ମଧ୍ୟ ରବିବାର ଇସ୍ତଫା ପ୍ରଦାନ କରିଛନ୍ତି। ଫଳରେ ୨୬ ସଦସ୍ୟ ବିଶିଷ୍ଟ ପୁଡ଼ୁଚେରୀ ବିଧାନସଭାରେ କଂଗ୍ରେସ ସରକାରଙ୍କ ବିଧାୟକ ସଂଖ୍ୟା ୧୨କୁ ହ୍ରାସ ପାଇଛି। ବରିଷ୍ଠ ନେତା ହୋଇ ମଧ୍ୟ ତାଙ୍କୁ ମନ୍ତ୍ରୀପଦ ମିଳିଲାନି। ତେଣୁ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପାଇଁ ସେ ଦାୟୀ ନୁହନ୍ତି ବୋଲି ଲକ୍ଷ୍ମୀନାରାୟଣନ୍‌ କହିଛନ୍ତି। ଏପରିକି ନିକଟରେ କଂଗ୍ରେସ ସଭାପତି ପଦରୁ ନମଶିବାୟମଙ୍କ ଇସ୍ତଫା ପରେ ମଧ୍ୟ ତାଙ୍କୁ ଦଳ ମୁଖ୍ୟ କରାଗଲା ନାହିଁ। ନମଶିବାୟମ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିବାବେଳେ ଲକ୍ଷ୍ମୀନାରାୟଣନ୍‌ ମଧ୍ୟ ଉକ୍ତ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

Share