ସବ୍ୟସାଚୀଙ୍କ ପାଇଁ ବଞ୍ଚିଲା ୨ ଜୀବନ

ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସମୟରେ ଅସହାୟଙ୍କୁ ସାହାଯ୍ୟ କରି ସମସ୍ତଙ୍କ ଆଦର୍ଶ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ଦେବଦୂତ ସାଜି ପୁଣି ଆଉ ୨ ଜୀବନ ବଞ୍ଚାଇଛନ୍ତି। କରୋନା ସଂକ୍ରମିତ ୭ ମାସର ଗର୍ଭବତୀଙ୍କୁ କୋରାପୁଟରୁ ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ବର୍ତ୍ତମାନ ଉଭୟ ମହିଳା ଓ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡିଛି। ସୂଚନାଯୋଗ୍ୟ, କୋରାପୁଟର ବିଶ୍ୱ କଲ୍ୟାଣୀ ସାମଲ ଗର୍ଭବତୀ ଅବସ୍ଥାରେ ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସମସ୍ୟା ଦେଖାଦେବାରୁ ତାଙ୍କୁ କୋରାପୁଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବା ସହ ଅକ୍ସିଜେନ ମାତ୍ରା କମିବାରେ ଲାଗିଥିଲା। ଏ ନେଇ କଲ୍ୟାଣୀଙ୍କ ସମ୍ପର୍କୀୟ ସବ୍ୟସାଚୀଙ୍କୁ ଟୁଇଟ୍‌ କରି ସହଯୋଗ ଲୋଡ଼ିଥିଲେ। ଏହାପରେ ସବ୍ୟସାଚୀ କୋରାପୁଟ ଜିଲା ପ୍ରଶାସନକୁ ଅବଗତ କରାଇବା ପରେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଡ଼ କରାଯାଇଥିଲା। ସବ୍ୟସାଚୀଙ୍କ ଅନୁଷ୍ଠାନ ‘ସ୍ମାଇଲ୍‌ ପ୍ଲିଜ୍‌’ର ଭଲ୍ୟୁଣ୍ଟର ବାସୁଦେବଙ୍କ ସହାୟତାରେ ରବିବାର ରାତିରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ବାଟ ସାରା ଡା. ଅମ୍ରିତ ପାଟ୍ଟଜୋଷୀ, ଡା. ଦେବାଶିଷ ରାୟ ଓ ଡା. ଶୁଭେନ୍ଦୁ ମିଶ୍ର ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ। ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ତାଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଡା. ଶରତ ଚନ୍ଦ୍ର ବେହେରା, ଡା. ହରପ୍ରିତ୍‌ କୌର ଓ ଡା. ଓମ୍‌ ପ୍ରତୀକ ସାହୁ ତାଙ୍କର ଚିକିତ୍ସା କରୁଛନ୍ତି। ଏ ନେଇ ସବ୍ୟସାଚୀ କୋରାପୁଟ ଜିଲାପାଳଙ୍କ ସମେତ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ମା’ ଓ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି।

Share