ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ ନେଇ ଭବାନୀପାଟଣା ସ୍ଥିତ ଜିଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ବୁଧବାର ସେମାନଙ୍କ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଜିଲାର କେସିଙ୍ଗା ଥାନା ଅନ୍ତର୍ଗତ କର୍ମେଲ ଗ୍ରାମର ପ୍ରତାପ ମାଝୀ ଓ ପିତାମ୍ବରୀ ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତାଙ୍କର ଏକ ଛୋଟ ପୁଅ ମଧ୍ୟ ରହିଥିଲା। ତେବେ ପିତାମ୍ବରୀଙ୍କ ବୟସ ସେତେବେଳେ ୧୮ ବର୍ଷରୁ କମ ହୋଇଥିବା କାରଣରୁ ତାଙ୍କ ବାପା ଜଗତ ରାମ ମାଝୀ ପ୍ରତାପଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଆଧାର କରି ପୋଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରି ପ୍ରତାପଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିଲା। ଏଥିପାଇଁ ସେ ପ୍ରାୟ ବର୍ଷେ କାଳ ଜେଲରେ ମଧ୍ୟ ରହିଥିଲେ । ଅନ୍ୟପଟେ ପିତାମ୍ବରୀ ଓ ତାଙ୍କ ପୁଅକୁ କଳାହାଣ୍ଡି ସିଡବ୍ଲୁସି ସୁଧାର ଗୃହରେ ଥଇଥାନ ବ୍ୟବସ୍ଥା କରାଯାଇଥିଲା। ଗତ କିଛି ଦିନ ତଳେ ପୋକ୍‌ସୋ ବିଚାରପତିପ୍ରତାପଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପିତାମ୍ବରୀଙ୍କ ବୟସ ମଧ୍ୟ ଅଠର ବର୍ଷରୁ ଅଧିକ ହୋଇ ସାରଛି। ଏଣୁ ତାଙ୍କ ଦୁହିଁଙ୍କ ସହ ପୁଅର ଭବିଷ୍ୟତକୁ ଦୃଷ୍ଟି ରଖି ସିଡବ୍ଲୁସି ପକ୍ଷରୁ ଉଭୟ ପରିବାରଙ୍କୁ ବୁଝାସୁଝା କରି ବିବାହ କରାଯାଇଛି। ଏହି ଅବସରରେ କଳାହାଣ୍ଡି ଶିଶୁ ମଙ୍ଗଳ ସମତି ଅଧ୍ୟକ୍ଷ ରୁପେଶ କୁମାର ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ଭୂଷଣ ପଣ୍ଡା, ଅଶୋକ ରଞ୍ଜନ ଚୌଧୁରୀ, ମହିଳା ସଦସ୍ୟା ବସନ୍ତ କୁମାରି ପଟ୍ଟନାୟକ, ସହାୟକ ନିଗମାନନ୍ଦ ସାହୁ, ସୁଧାର ଗୃହ ର କର୍ମକର୍ତା, କନ୍ୟା ଓ ବର ପକ୍ଷ ମାନଙ୍କ ସମ୍ପର୍କିୟ ମାନେ ଉପସ୍ଥିତ ଥିଲେ।

Share