ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍‌

ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ ପୁନେମ। ଦୀର୍ଘଦିନ ଧରି ଉଭୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ରହିଥିଲେ। ତେବେ ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ଆଉ ଏହା ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା ବୋଲି କୁହାଯାଉଛି।


ସୂଚନାଯୋଗ୍ୟ, କାନା ମାଢ଼ି ମାଓବାଦୀ ସଙ୍ଗଠନରେ ଏସିଏମ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେହିପରି ଲାକେ ପୁନେମ ମାଓବାଦୀ ସଙ୍ଗଠନର ସଦସ୍ୟା ଥିଲେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଏମାନେ ଉଭୟ ସ୍ବାଭିମାନ ଅଞ୍ଚଳ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିଲେ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ସ୍ବାଭିମାନ ଅଞ୍ଚଳ ରୂପେ ପରିଣତ ହେବା ପରେ ଏହା ଏମାନଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ଅଞ୍ଚଳର ବିକାଶ ଓ ପୋଲିସର ପଦକ୍ଷେପ ଇତ୍ୟାଦି ପରେ ଦୁହେଁ ମାଓବାଦୀ ସଙ୍ଗଠନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଆତ୍ମସମର୍ପଣ କରି ସଙ୍ଗଠନର ପୋଲ୍‌ ଖୋଲିଛନ୍ତି। ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁଥିବା ବେଳେ ତେଲୁଗୁ କ୍ୟାଡରମାନେ ଅନ୍ୟ ମାଓବାଦୀଙ୍କୁ ଶୋଷଣ କରୁଥିଲେ। ମାଓବାଦୀ ସଙ୍ଗଠନରେ ତେଲଗୁ କ୍ୟାଡରଙ୍କ ବିଶେଷ ପ୍ରଭାବ ରହିଥିବା ଏମାନେ ଅଭିଯୋଗ ମଧ୍ୟ କରିଛନ୍ତି। ଉଭୟ ସିଲାକୋଟା ଏନ୍‌କାଉଣ୍ଟର ଏବଂ ଜଣେ ବିଧାୟକଙ୍କ ହତ୍ୟାକାଣ୍ଡ ଆଦିି ବଡ଼ ବଡ଼ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ପୋଲିସ ଏମାନଙ୍କ ନାଁରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ତେବେ ଏମାନେ ଆତ୍ମସମର୍ପଣ କରିବା ପରେ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ମାଲକାନଗିରି ଏସ୍‌ପି ଅନୁରୋଧ କରିଛନ୍ତି।

Share