ନକଲି ଡାକ୍ତରଙ୍କ ନାମରେ ଆଉ ୨ ମାମଲା

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଠକେଇ ମାମଲାରେ ଜେଲ ଯାଇଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି। ଦିନକୁ ଦିନ ତାଙ୍କର ନୂଆ ଧରଣର ଠକେଇ ଲୋକଲୋଚନକୁ ଆସୁଛି। ଅଭିଯୋଗ ଅଧାରରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ପାହାଳ ଓ ଶହୀଦନଗର ଥାନାରେ ରମେଶଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି। ଫଳରେ ତାଙ୍କ ବିରୋଧରେ ମାମଲା ସଂଖ୍ୟା ୧୫ରେ ପହଞ୍ଚତ୍ଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ରମେଶ ସତ୍ୟବିହାରରେ ରହୁଥିବା ଉପେନ୍ଦ୍ର କୁମାର ମହାରଣା ନାମକ ଜଣେ ଠିକାଦାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର କହି ଠକେଇ ଜାଲରେ ଫସାଇଥିଲେ। ୨୦୧୮ରେ ରମେଶ ପାହାଳ ଅଞ୍ଚଳରେ ଥିବା ତାଙ୍କ ଜମିରେ ୩ ତାଲା କୋଠା କରିବାକୁ ଉପେନ୍ଦ୍ରଙ୍କୁ କହିଥିଲେ। ଉପେନ୍ଦ୍ର ତାଙ୍କ କଥାକୁ ବିଶ୍ୱାସ କରି ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉକ୍ତ ଜମି ଚାରିପଟେ ପାଚେରି ନିର୍ମାଣ କରିଥିଲେ। ହେଲେ ଏ ବାବଦକୁ ଉପେନ୍ଦ୍ର ତାଙ୍କୁ ଟଙ୍କା ମାଗିବାରୁ ସେ ଫୋନ ଉଠାଇ ନ ଥିଲେ କି ଦେଖା ଦେଇ ନ ଥିଲେ। ଏନେଇ ଉପେନ୍ଦ୍ର ଅଭିଯୋଗ କରିବା ପରେ ପାହାଳ ଥାନା ପୋଲିସ ଏକ ମାମଲା (ନଂ.୨୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରୁ ଜବତ ହୋଇଥିବା କାର୍‌କୁ ରମେଶ ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ଶୋ’ରୁମ୍‌ରୁ ୨୦୧୯ରେ ଜାଲ କାଗଜପତ୍ର ଦେଇ କିଣିଥିଲେ। ଏନେଇ ମହିଳା ଥାନା ପୋଲିସ ପକ୍ଷରୁ ଅଭିଯୋଗ ହେବା ପରେ ଶହୀଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନ୍ୟପକ୍ଷରେ ଅଭିଯୁକ୍ତ ରମେଶ ତୃତୀୟଥର ପାଇଁ ରିମାଣ୍ଡରେ ଆସିବେ। ଗୁଆହାଟୀର ଜଣେ ଡାକ୍ତରାଣୀଙ୍କୁ ମିଥ୍ୟା ପରିଚୟ ଦେଇ ବିବାହ କରିବା ପରେ ରମେଶ ତାଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିଲେ। ରମେଶ ଗିରଫ ହେବା ପରେ ଉକ୍ତ ଡାକ୍ତରାଣୀ ସ୍ତ୍ରୀ ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏହି ମାମଲା (ନଂ.୨୨/୨୦୨୨)ରେ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ମହିଳା ଥାନା ପୋଲିସ ଆବେଦନ କରିଥିଲା। କୋର୍ଟ ଆବେଦନକୁ ଗ୍ରହଣ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ଶୁକ୍ରବାରଠାରୁ ରମେଶଙ୍କୁ ରିମାଣ୍ଡରେ ଅଣାଯାଇ ମାରାଥନ ଜେରା କରାଯିବ ବୋଲି ଥାନା ଅଧିକାରରିଣୀ ସନ୍ତୋଷିନୀ ବେହେରା କହିଛନ୍ତି।

Share