Categories: ଜାତୀୟ

ହୃଦ୍‌ଘାତରେ ବଢ଼ୁଛି କେଦାରନାଥ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା

ଡେରାଡୁନ,୨୮।୫: କେଦାରନାଥ ଯାତ୍ରାରେ ଶୁକ୍ରବାର ଆଉ ୨ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପଟେଲ ଧନୀଶ ଭାଇ(୩୨) ଏବଂ ପାଟନାର ଭାନୁ ଶଙ୍କର ପ୍ରସାଦ (୭୧) କେଦାରନାଥ ଯାତ୍ରାରେ ଆସିଥିଲେ। ସେଠାରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହାପରେ ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ଡାକ୍ତରଖାନାକୁ ପଠାଯାଇଛି। ତେବେ ମୃତ୍ୟୁର କାରଣ ହୃଦ୍‌ଘାତ ଯୋଗୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେଦାରନାଥ ଧାମରେ ଏପର୍ଯ୍ୟନ୍ତ ୪୪ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ହୃଦ୍‌ଘାତ ଯୋଗୁ ସର୍ବାଧିକ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଚାରିଧାମ ମଧ୍ୟରେ କେଦାରନାଥ ଧାମରେ ସର୍ବାଧିକ ମୃତ୍ୟୁ ଘଟିଛି, ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସତର୍କତା ଅବଲମ୍ବନ କରୁଥିବା ନଜର ଆସୁନାହିଁ। ସୂଚନା ମୁତାବକ, ଚାରିଧାମ ମଧ୍ୟରେ ସବୁଠାରୁ କଷ୍ଟଦାୟକ ଯାତ୍ରା ହେଉଛି ବାବା କେଦାରନାଥ ଯାତ୍ରା। ଏଠାରେ ପହଞ୍ଚିବା ପାଇଁ, ଗୌରୀକୁଣ୍ଡଠାରୁ ୧୮ କିଲୋମିଟର ଉଚ୍ଚରେ ଏକ ଶିଖର ଚଢ଼ିବାକୁ ପଡ଼ିଥାଏ। ଅଧିକାଂଶ ଭକ୍ତ ପାଦରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ବେଳେ ଏଥିଯୋଗୁ ରାସ୍ତାରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏତଦ୍‌ବ୍ୟତୀତ କେଦାରନାଥ ଯାତ୍ରା ରାସ୍ତାରୁ ଅନ୍ୟ ଧାମ ପର୍ଯ୍ୟନ୍ତ ଯିବା ପାଇଁ ତୀର୍ଥଯାତ୍ରୀଙ୍କୁ ଅମ୍ଳଜାନ ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ।

Share