Categories: ଜାତୀୟ

ଅଜିତଙ୍କୁ ଝଟକା, ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଥିବା ୨ ବିଧାୟକ ନେଲେ ୟୁଟର୍ନ

ମୁମ୍ବାଇ,୩।୭: ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ବଡ ଧରଣର ଅଦଳବଦଳ ପରେ ଏବେ ୟୁଟର୍ନର ପ୍ରକ୍ରିୟା ବି ଆରମ୍ଭ ହୋଇ ଗଲାଣି। ଅଜିତ ପାଓ୍ବାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ବିଧାୟକ ଘର ଲେଉଟାଣି କରିଛନ୍ତି। ଅଜିତଙ୍କ ସମର୍ଥକ ବିଧାୟକ ଦିଲିପ ମୋହିତେ ପାଟିଲ ସୋମବାର ଦାବି କରିଛନ୍ତି ଯେ ଅଜିତ ପାଓ୍ବାର କିଛି ନ କହି ରବିବାର ବିଧାୟକଙ୍କର ଦସ୍ତଖତ ନେଇଛନ୍ତି, ତାଙ୍କର ଏହି ନିଷ୍ପତ୍ତିରେ ଆମେ ସହମତ ନୁହେଁ।

ରବିବାର ଶପଥ ଗ୍ରହଣ ସମାରୋହରେ ଦିଲୀପ ମୋହିତେ ପାଟିଲ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ, ବିଦ୍ରୋହର ପରଦିନ ଏନସିପି ବିଧାୟକ ମକରନ୍ଦ ପାଟିଲ ମଧ୍ୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ନଜର ଆସିଥିଲେ। ରବିବାର ଶପଥ ଗ୍ରହଣ ସମାରୋହରେ ମକରନ୍ଦ ପାଟିଲ ଯୋଗ ଦେଇଥିଲେ ଏବଂ ସୋମବାର ଶରଦ ପାୱାରଙ୍କ କାରରେ ବସିଥିବାର ନଜର ଆସିଥିଲେ।
ଏହି ସମୟରେ ଶପଥ ଗ୍ରହଣ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ବରଖାସ୍ତ କରିଛି। ମହାରାଷ୍ଟ୍ର ଏନସିପି ସଭାପତି ଜୟନ୍ତ ପାଟିଲ କହିଛନ୍ତି ଯେ ଦଳର ପ୍ରତୀକ ବ୍ୟବହାର କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ, ଯଦି ଏପରି କରାଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମଗ୍ର ରାଜ୍ୟ ଗସ୍ତ କରିବେ ବୋଲି ଜଣାପଡିଛି।

Share