ସତ୍ୟପାଠରେ ତ୍ରୁଟି, ଦୁଇ ନାମାଙ୍କନ ନାକଚ

କେନ୍ଦୁଝର,୯ା୩(ସ୍ବ.ପ୍ର.):  ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାରେ ଦୁଇ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ତ୍ରୁଟି ଯୋଗୁ ନାକଚ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ୧୮ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ ଦାଖଲ କରିଥିବା ସ୍ବାଧୀନ ପ୍ରାର୍ଥିନୀ ଲିପି ପଟ୍ଟନାୟକ ଓ ଅନ୍ୟ ଜଣେ କଂଗ୍ରେସର ୧୪ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥିନୀ ଗାୟତ୍ରୀ ମୁଖୀ ବୋଲି ଜଣାପଡ଼ିଛି। ଏନେଇ କଂଗ୍ରେସ ଜିଲା ସଭାପତି ବିପ୍ଳବ ମିଶ୍ର କହିଛନ୍ତି ଯେ, କଂଗ୍ରେସ ପ୍ରାର୍ଥିନୀଙ୍କ ନାମାଙ୍କନ ନାକଚ ହୋଇନାହିଁ।

ଏନେଇ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ସଠିକ ଭାବରେ ଯାଞ୍ଚ କରାଯାଇଛି। ଫଳରେ ଏହାକୁ ବାଦ୍‌ ଦେଲେ ୨୧ ଓ୍ବାର୍ଡ ବିଶିଷ୍ଟ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ସମୁଦାୟ ୫ ଜଣ ନଗରପାଳ ଓ ୬୪ଜଣ କାଉନସିଲରଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଏହି ନିର୍ବାଚନରେ ବିଜେଡି, ଭାଜପା, କଂଗ୍ରେସ ବ୍ୟତୀତ ଆମ ଆଦ୍‌ମୀ ପାର୍ଟି, ଜେଏମ୍‌ଏମ୍‌ ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଦେଇଥିବା ବେଳେ ଅନେକ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି।

Share