ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଚାରିଜଣଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଭାଜପାରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ବେନେଡିକ୍ଟ ମାରାକ ଏବଂ ଏନପିପିର ଫେରେଲିନ ସାଙ୍ଗମା ଏବଂ ଟିଏମସିର ଏଚ୍ଏମ୍ ଶାଙ୍ଗପଲିଆଙ୍ଗ ଅଛନ୍ତି। ଏହା ବ୍ୟତୀତ ସ୍ବାଧୀନ ବିଧାୟକ ସାମୁଏଲ ସାଙ୍ଗମା ମଧ୍ୟ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୨୮ରେ, ତିନିଜଣ ବିଧାୟକ ବିଧାନସଭା ବାଚସ୍ପତିଙ୍କୁ ରାଜ୍ୟ ସଚିବାଳୟରେ ଭେଟି ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।
ମେଘାଳୟ ଡେମୋକ୍ରାଟିକ ଆଲାଇନ୍ସ (ଏମ୍ଡିଏ)ର ସରକାର ଅଛି। ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ଏନପିପିରୁ ୨୩ ଜଣଙ୍କ ସମେତ ମୋଟ ୪୮ ଜଣ ବିଧାୟକ ଅଛନ୍ତି।