୩୭ ହଜାର ଫୁଟ୍‌ ଉଚ୍ଚରେ ଶୋଇପଡ଼ିଲେ ଦୁଇ ପାଇଲଟ

ଆଡିସ୍‌ ଆବାବା,୨୦।୮: ଇଥିଓପିଆ ଏୟାରଲାଇନ୍ସର ଏକ ବିମାନ ସୁଡାନର ଖର୍ତୁମ୍‌ରୁ ଇଥିଓପିଆ ରାଜଧାନୀ ଆଡିସ୍‌ ଆବାବା ଅଭିମୁଖେ ଯାଉଥିବାବେଳେ ଏହାର ଦୁଇଜଣ ପାଇଲଟ ଶୋଇପଡ଼ିଥିଲେ। ଗତ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ସେତେବେଳେ ବିମାନଟି ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା। ଶୋଇପଡ଼ିଥିବାରୁ ପାଇଲଟ ବିମାନ ଅବତରଣ କରିବାକୁ ଭୁଲିଯାଇଥିଲେ। ଇଟି୩୪୩ ବିମାନଟି ବିମାନବନ୍ଦର ଉପରେ ପହଞ୍ଚତ୍ଥିଲେ ହେଁ ଅବତରଣ ପ୍ରକ୍ରିୟା ଆରମ୍ଭ ନ କରିବାରୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିଏସ୍‌) ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ପାଇଲଟ ଶୋଇଥିବାବେଳେ ବୋଇଂ ୭୩୭ ବିମାନର ଅଟୋପାଇଲଟିଂ ସିଷ୍ଟମ ଏହାକୁ ୩୭,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ାଇ ରଖିଥିଲା। ଏଟିସି କର୍ତ୍ତୃପକ୍ଷ ପାଇଲଟ୍‌ମାନଙ୍କ ସହ ଯୋଗାଯୋଗ କରିବାକୁ ଏକାଧିକ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଯେତେବେଳେ ବିମାନଟି ଓହ୍ଲାଇବାକୁ ଥିବା ବିମାନବନ୍ଦର ଅତିକ୍ରମ କରିଗଲା, ସେତେବେଳେ ଅଟୋପାଇଲଟ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ବିମାନରେ ଆଲାର୍ମ ବାଜିବାରୁ ପାଇଲଟମାନେ ଉଠିପଡ଼ିଥିଲେ। ସେମାନେ ୨୫ ମିନିଟ ବିଳମ୍ବରେ ବିମାନଟିକୁ ରନ୍‌ଓ୍ବେରେ ଅବତରଣ କରାଇଥିଲେ। ସୌଭାଗ୍ୟବଶତଃ ବିମାନଟି ନିରାପଦରେ ଅବତରଣ କରିଥିଲା ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଏହା ଅତ୍ୟନ୍ତ ଉଦ୍‌ବେଗଜନକ ଘଟଣା ବୋଲି ବିମାନ ଚଳାଚଳ ବିଶ୍ଳେଷକ ଆଲେକ୍ସ ମାଚେରାସ୍‌ କହିଛନ୍ତି। ପାଇଲଟଙ୍କ ଉପରେ ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ଥକିପଡ଼ି ଶୋଇଯାଉଥିବା ସେ ଅଭିଯୋଗ କରିଛନ୍ତି। ଗତ ମେ’ ମାସରେ ଏଭଳି ଏକ ଘଟଣା ଘଟିଥିଲା। ନ୍ୟୁୟର୍କରୁ ରୋମ୍‌ ଯାଉଥବା ଏକ ବିମାନର ଦୁଇ ପାଇଲଟ ଶୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୮,୦୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା।

Share