ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା, ତଥାପି ବଞ୍ଚିଗଲେ ପାଇଲଟ୍‌; ଜାଣନ୍ତୁ କେମିତି

ଓ୍ବାଶିଂଟନ,୧୫।୫: ଆମେରିକାର କଲରାଡୋରେ ଦୁଇ ବିମାନ ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇ ବିମାନ ମଧ୍ୟରେ ଏତେ ଭୟଙ୍କର ଦୁର୍ଘଟଣା ଘଟିଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଦୁଇଟି ଛୋଟ ବିମାନ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଠିକ୍‌ ଏହି ସମୟରେ ପାଇଲଟଙ୍କ ପାରାଶୁଟ୍‌ ଖୋଲିଗଲା। ଯାହା ସାହାଯ୍ୟରେ ସେ ଆରାମରେ ଆସି ଭୂମିରେ ଓହ୍ଲାଇଥିଲେ। ଅନ୍ୟମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। କିନ୍ତୁ ଏହି ଦୁର୍ଘଟଣାରେ ବିମାନ ଦୁଇଟିର ବହୁ କ୍ଷତି ହୋଇଛି। ଏହି ଦୁଇଟି ବିମାନରେ ମାତ୍ର ୨ ଜଣ ଲୋକ ଥିଲେ।

ଆରାପାହୋଇ କାଉଣ୍ଟି ସରିଫ୍‌ କାର୍ଯ୍ୟାଳୟର ମୁଖପାତ୍ର ଜନ୍‌ ବାର୍ଟମ୍ୟାନ୍‌ କୁହନ୍ତି, ବିମାନରେ କେବଳ ପାଇଲଟ୍‌ ଥିଲେ। ଅବତରଣ ପରେ କୌଣସି ଆହତ ଖବର ତାଙ୍କ ନିକଟରେ ନ ଥିଲା। ସେ କହିଛନ୍ତି, ଆମେ ଭାବିଥିଲୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଥିବ। ମାତ୍ର ସେପରି କିଛି ଘଟି ନ ଥିଲା। ଆମ ଅଧୀନରେ ଅନେକ ବିମାନ ଦୁର୍ଘଟଣା ପୂର୍ବରୁ ଘଟିଛି। ମାତ୍ର ଏହା ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି, ଏହା ଅତ୍ୟନ୍ତ ଚମତ୍କାର। ଯେମିତିକି ପାଇଲଟ୍‌ଙ୍କର ଲଟେରି ଲାଗିଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ବିମାନର ଭଗ୍ନାବଶେଷ ଏଣେତେଣେ ପଡ଼ିଥିଲା। ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଏକ ଟୁଇଟ୍‌ କରି କହିଛି ଯେ, ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଦୁଇ ପାଇଲଟ ବିମାନ ଅବତରଣ କରୁଥିଲେ। ଏହି ଘଟଣାର ଅଧିକ ଯାଞ୍ଚ ଚାଲିଛି।

Share